ଭୁବନେଶ୍ଵର: ଏଣିକି ରେଳ ଯାତ୍ରୀଙ୍କୁ ସୁରକ୍ଷା ଦେବ କୃତ୍ରିମ ବୁଦ୍ଧିମତ୍ତା ଚାଳିତ ରୋବଟ୍ । ଏଆଇ ରୋବଟ୍ ଡି.ଏସ.ସି ଅର୍ଜୁନ (D.S.C ARJUN) ସମସ୍ତଙ୍କୁ ସୁରକ୍ଷା ଦେବ । ପୂର୍ବତଟ ରେଳ ପଥରେ ସାମିଲ ହୋଇଛି ଏହି ରୋବଟ୍ ।
ପୂର୍ବ ତଟ ରେଳବାଇର ମହାପ୍ରବନ୍ଧକ, ବରିଷ୍ଠ ରେଳ ଅଧିକାରୀ ଏବଂ ରେଳ ସୁରକ୍ଷା ବଳ (RPF) ଅଧିକାରୀଙ୍କ ଉପସ୍ଥିତିରେ AI ଚାଳିତ ରୋବୋଟିକ୍ ସୁରକ୍ଷା ପ୍ଲାଟଫର୍ମ ଡି.ଏସ.ସି ଅର୍ଜୁନ ଉନ୍ମୋଚିତ ହୋଇଥିଲା । ଡି.ଏସ.ସି ଅର୍ଜୁନର ସମ୍ପୂର୍ଣ୍ଣ ନାମ ‘”ଡେଡିକେଟେଡ୍ ସିକ୍ୟୁରିଟି ଚେସିସ୍ ଆଡଭାନ୍ସଡ୍ ରେଲୱେ ଜଙ୍କସନ୍ ଅଣ୍ଡର ନେଟୱାର୍କ ସକ୍ଷମ ସର୍ବେକ୍ଷଣ” । ଡି.ଏସ.ସି ଅର୍ଜୁନରେ ୭ଟି ୩୬୦ ଡିଗ୍ରୀ କ୍ୟାମେରା ଲାଗିଛି । ଏହା ୪୦ ଲକ୍ଷ ଟଙ୍କା ବ୍ୟୟରେ ପ୍ରସ୍ତୁତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ବାହୁଡା଼ ଯାତ୍ରା ପର୍ଯ୍ୟନ୍ତ ପୁରୀ ରେଲୱେ ଷ୍ଟେସନରେ ଏହାକୁ ନିଯୁକ୍ତ କରାଯିବ । ପରେ ଭୁବନେଶ୍ୱର ରେଳ ଷ୍ଟେସନରେ ସ୍ଥାୟୀ ଭାବେ ରଖାଯିବ । ସୁରକ୍ଷା, ସଚେତନତା ଓ ପର୍ଯ୍ୟବେକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଛି । ରେଲୱେ ଟ୍ରାକକୁ ଯାଉଥିବା ଯାତ୍ରୀ, ଆପତ୍ତକାଳୀନ ପରିସ୍ଥିତି କିମ୍ବା ନିଆଁ ଲାଗିଲେ, ଟ୍ରେନ ଆଗମନର ସୂଚନା ଦେବ । ବିଶେଷ କରି ଫେସ୍ ଡିଟେକ୍ସନ୍ ସିଷ୍ଟମ୍ ଦ୍ୱାରା ଅପରାଧୀଙ୍କ ଉପରେ ନଜର ରଖିପାରିବ ।