ବଲାଙ୍ଗୀର: ସ୍ୱାସ୍ଥ୍ୟସେବାର ବାସ୍ତବ ଚିତ୍ରକୁ ପୁଣିଥରେ ସାମ୍ନାକୁ ଆଣିଛି ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଉପଖଣ୍ଡ ଚିକିତ୍ସାଳୟର ଏକ ହୃଦୟବିଦାରକ ଘଟଣା। ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡ଼ି ନମିଳିବାରୁ ପରିବାର ଲୋକଙ୍କୁ ମୃତଦେହକୁ କାନ୍ଧରେ ବୋହି ହସ୍ପିଟାଲ ପରିସରରୁ ବାହାରକୁ ନେବାକୁ ପଡ଼ିଥିଲା। ଏହି ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ହସ୍ପିଟାଲରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାର ଲୋକ ମୃତଦେହକୁ ନେବା ପାଇଁ ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡ଼ିର ଅପେକ୍ଷା କରିଥିଲେ। କିନ୍ତୁ ଠିକ୍ ସମୟରେ କୌଣସି ଗାଡ଼ି ନମିଳିବାରୁ ଶେଷରେ ସେମାନେ ବାଧ୍ୟ ହୋଇ ମୃତଦେହକୁ କାନ୍ଧରେ ବୋହି ହସ୍ପିଟାଲ ପରିସରରୁ ବାହାରକୁ ନେଇଥିଲେ। ଏହି ଘଟଣା ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।
ଘଟଣାର ଭିଡିଓ ଭାଇରାଲ ହେବା ପରେ ଆମ୍ବୁଲାନ୍ସ ଚାଳକ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ମୃତଦେହ ହସ୍ପିଟାଲରୁ ବାହାରକୁ ନେଇଯିବା ପରେ ତାଙ୍କ ନିକଟକୁ ଫୋନ୍ ଆସିଥିଲା। ଏହାପରେ ସେ ତୁରନ୍ତ ଆମ୍ବୁଲାନ୍ସ ନେଇ ପହଞ୍ଚି ମୃତଦେହକୁ ବଙ୍ଗୋମୁଣ୍ଡା ପର୍ଯ୍ୟନ୍ତ ପହଞ୍ଚାଇଥିବା କହିଛନ୍ତି।
ତେବେ ଏହି ଘଟଣାକୁ ନେଇ କଣ୍ଟାବାଞ୍ଜି ଉପଖଣ୍ଡ ଚିକିତ୍ସାଳୟର ମେଡିକାଲ ଅଫିସରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ପ୍ରତିକ୍ରିୟା ମିଳିନାହିଁ। ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଯଦି ହସ୍ପିଟାଲ ପକ୍ଷରୁ ଠିକ୍ ସମୟରେ ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରାଯାଇଥାନ୍ତା, ତେବେ ପରିବାରକୁ ଏଭଳି ଅମାନବୀୟ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିନଥାନ୍ତା।
ଏହି ଘଟଣା କେବଳ ଗୋଟିଏ ପରିବାରର ଯନ୍ତ୍ରଣା ନୁହେଁ, ବରଂ ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟସେବା ଓ ଜରୁରୀକାଳୀନ ପରିବହନ ବ୍ୟବସ୍ଥାର ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିଛି। ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଉଚିତ୍ ପଦକ୍ଷେପ ନେବା ସହ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ରୋକିବାକୁ ସାଧାରଣରେ ଦାବି ଜୋର ଧରିଛି।