ଭୁବନେଶ୍ୱର: ଡିଜିଟାଲ ପ୍ରଯୁକ୍ତିର ବ୍ୟବହାରକୁ ଆହୁରି ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଗ୍ରାମୀଣ ବିକାଶ ବିଭାଗ ପାଇଁ ପ୍ରିମିୟମ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଟୁଲ୍ ଓ କ୍ଲାଉଡ୍ ସେବା କିଣିବାକୁ ସରକାର ଯୋଜନା କରୁଛନ୍ତି। ଏହି ପଦକ୍ଷେପ ଫଳରେ ବିଭାଗର କାର୍ଯ୍ୟପ୍ରଣାଳୀ ଅଧିକ ଦ୍ରୁତ, ସ୍ୱଚ୍ଛ ଓ ଆଧୁନିକ ହେବ ବୋଲି ଆଶା କରାଯାଉଛି।
ଭୁବନେଶ୍ୱରସ୍ଥିତ ମୁଖ୍ୟ ଯନ୍ତ୍ରୀ (ରୁରାଲ୍ ୱର୍କ୍ସ) କାର୍ଯ୍ୟାଳୟ ପକ୍ଷରୁ ଗ୍ରାମୀଣ ବିକାଶ ବିଭାଗର କମିଶନର-କମ୍-ସଚିବଙ୍କୁ ଏନେଇ ଏକ ପ୍ରସ୍ତାବ ପଠାଯାଇଛି। ଏଥିରେ ପ୍ରିମିୟମ କ୍ଲାଉଡ୍ ଷ୍ଟୋରେଜ୍, ଉନ୍ନତ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ସହ Google Workspace, Google AI Pro ଏବଂ ChatGPT Plus ଭଳି AI ସେବାର ସବସ୍କ୍ରିପ୍ସନ କିଣିବା ପାଇଁ ପ୍ରଶାସନିକ ଅନୁମୋଦନ ଓ ଆର୍ଥିକ ମଞ୍ଜୁରି ମାଗାଯାଇଛି।
ଜୁଲାଇ ୨୦, ୨୦୨୬ରେ ପଠାଯାଇଥିବା ଏହି ପ୍ରସ୍ତାବରେ ଦର୍ଶାଯାଇଛି ଯେ, ବର୍ତ୍ତମାନ ବ୍ୟବହୃତ ମାଗଣା ଡିଜିଟାଲ୍ ସେବା ବିଭାଗର ଆବଶ୍ୟକତା ପୂରଣ କରିପାରୁନାହିଁ। ବିଶେଷକରି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (PMGSY) ଅଧୀନରେ ପ୍ରସ୍ତୁତ ହେଉଥିବା ଉଚ୍ଚମାନର ରାସ୍ତା ମାନଚିତ୍ର, ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ (DPR), ପ୍ରକଳ୍ପର ଫଟୋ ଏବଂ ଆର୍ଥିକ ତଥ୍ୟ ଭଳି ବହୁ ପରିମାଣର ଡିଜିଟାଲ୍ ଫାଇଲ୍ ସଂରକ୍ଷଣ କରିବାରେ ୧୫ ଜିବି ମାଗଣା କ୍ଲାଉଡ୍ ଷ୍ଟୋରେଜ୍ ଅପର୍ଯ୍ୟାପ୍ତ ହେଉଛି।
ଏହି AI ଟୁଲ୍ ଏବଂ କ୍ଲାଉଡ୍ ସେବା ବ୍ୟବହାର ହେଲେ ବିଭାଗର କାର୍ଯ୍ୟପ୍ରବାହ ଆହୁରି ସହଜ ହେବ। ପ୍ରକଳ୍ପର ରିଅଲ୍-ଟାଇମ୍ ମନିଟରିଂ, ତଥ୍ୟ ଆଧାରିତ ନିଷ୍ପତ୍ତି ଗ୍ରହଣ, ଫାଇଲ୍ ପରିଚାଳନା ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଉଚ୍ଚମାନର ଭିଡିଓ କନଫରେନ୍ସିଂ ଅଧିକ ସୁବିଧାଜନକ ହେବ।
ଏହି ପଦକ୍ଷେପକୁ ଓଡ଼ିଶା ସରକାରଙ୍କ ଇ-ଗଭର୍ନାନ୍ସ ଓ ଡିଜିଟାଲ୍ ପ୍ରଶାସନକୁ ଆହୁରି ଶକ୍ତିଶାଳୀ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ବୋଲି ଦେଖାଯାଉଛି। ଯଦି ପ୍ରସ୍ତାବକୁ ଅନୁମୋଦନ ମିଳେ, ତେବେ ଗ୍ରାମୀଣ ବିକାଶ ବିଭାଗରେ AI ଆଧାରିତ ଆଧୁନିକ ପ୍ରଯୁକ୍ତିର ବ୍ୟବହାର ବଢ଼ିବ ଏବଂ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଅଧିକ ଦ୍ରୁତ, ସ୍ୱଚ୍ଛ ଓ ପ୍ରଭାବଶାଳୀ ହେବ।