ବ୍ରହ୍ମପୁର: ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ କୋଭିଡ୍-୧୯ ସଂକ୍ରମଣ ବଢ଼ିବା ପରେ ଓଡ଼ିଶାରେ ମଧ୍ୟ କରୋନା ପୁଣିଥରେ ଚିନ୍ତା ବଢ଼ାଇଛି। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ୩ ଜଣ କୋଭିଡ୍-୧୯ ସଂକ୍ରମିତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇପଡ଼ିଛି। ସଂକ୍ରମିତଙ୍କ ମଧ୍ୟରେ ଦୁଇଜଣ ମହିଳା ଏବଂ ଜଣେ ପୁରୁଷ ଥିବା ସୂଚନା ମିଳିଛି।
ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ଆକ୍ରାନ୍ତମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ବ୍ରହ୍ମପୁରସ୍ଥିତ ଏମ୍.କେ.ସି.ଜି. ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ କିଛି ଦିନ ହେଲା ସେଠାରେ ଚିକିତ୍ସାଧୀନ ଥିବାବେଳେ ପରୀକ୍ଷାରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନ୍ୟ ଦୁଇଜଣଙ୍କର ଲକ୍ଷଣ ସାମାନ୍ୟ ଥିବାରୁ ସେମାନେ ଘରୋଇ ସଙ୍ଗରୋଧରେ ରହି ଚିକିତ୍ସା ନେଉଛନ୍ତି।
ସଂକ୍ରମିତଙ୍କ ଚିହ୍ନଟ ପରେ ସ୍ୱାସ୍ଥ୍ୟ ବିଭାଗ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବା ସହ ଆବଶ୍ୟକ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ପରିସ୍ଥିତି ଉପରେ ବିଭାଗ କଡ଼ା ନଜର ରଖିଥିବା ଏବଂ ଆବଶ୍ୟକ ପଡ଼ିଲେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି।
ଏପଟେ ଆନ୍ଧ୍ରପ୍ରଦେଶରେ ଜୁନ୍ ୨୬ରୁ ଜୁଲାଇ ୧୬ ମଧ୍ୟରେ ୧୨ ଜଣ କୋଭିଡ୍-୧୯ରେ ସଂକ୍ରମିତ ହୋଇଥିବାବେଳେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହାପରେ ଓଡ଼ିଶାରେ ମଧ୍ୟ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଥିଲା। ବର୍ତ୍ତମାନ ବ୍ରହ୍ମପୁରରେ ୩ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ସତର୍କତାମୂଳକ ବ୍ୟବସ୍ଥାକୁ ଜୋରଦାର କରାଯାଇଛି।
ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ଅଯଥା ଭୟଭୀତ ନହୋଇ ସତର୍କ ରହିବାକୁ ଅନୁରୋଧ କରିଛି। ଜ୍ୱର, କାଶ, ଥଣ୍ଡା କିମ୍ବା ଶ୍ୱାସକଷ୍ଟ ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା କରାଇବା, ଭିଡ଼ ସ୍ଥାନରେ ସତର୍କତା ଅବଲମ୍ବନ କରିବା ଏବଂ ଆବଶ୍ୟକ ସ୍ୱାସ୍ଥ୍ୟବିଧି ପାଳନ କରିବାକୁ ପରାମର୍ଶ ଦିଆଯାଇଛି।