ଭୁବନେଶ୍ୱର: ରାଜ୍ୟରେ ୧୨ ଲକ୍ଷ ଭୂତ ମତଦାତା । ମ୍ୟାପିଂ ବେଳେ ମିଳୁନି କୌଣସି ଖୋଜ ଖବର । ୨୦୦୨ ଭୋଟର ତାଲିକା ସହିତ ୨୦୨୫ ତାଲିକା ମେଳ ଖାଉ ନାହିଁ । ଯେଉଁମାନଙ୍କର ସୂଚନା ମିଳୁ ନାହିଁ ସେମାନଙ୍କୁ ନୋଟିସ୍ ଜାରି କରାଯାଇଛି । କିନ୍ତୁ କୌଣସି ମତଦାତାଙ୍କୁ ବ୍ୟକ୍ତିଗତ ଭାବେ ଅଭିଯୋଗ ଶୁଣାଣିରେ ଉପସ୍ଥିତ ରହିବାର ଆବଶ୍ୟକତା ନ ଥିବା ସ୍ପଷ୍ଟ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ଏସ୍ ଗୋପାଳନ ।
ଆଜି ରାଜ୍ୟ ମୁଖ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ଏସ୍ ଗୋପାଳନ ଏସଆଇଆର୍ ସମ୍ପର୍କିତ ସମସ୍ତ ତଥ୍ୟ ଦେଇଛନ୍ତି । ଗୋପାଳନଙ୍କ ସୂଚନା ଆଧାରରେ, ଏସ୍ଆଇଆର୍ ବେଳେ ୪୬ ଲକ୍ଷ ଲୋକଙ୍କର ସାମାନ୍ୟ ସାମାନ୍ୟ ତ୍ରୁଟି ରହିଛି । ସେହିପରି ୧୨ ଲକ୍ଷ ଲୋକ ଯାହାଙ୍କର କୌଣସି ତଥ୍ୟ ମିଳୁନି ମିଳୁ ନାହିଁ । ଯେଉଁମାନଙ୍କର ୨୦୦୨ ତାଲିକାରେ ରହିଥିବାବେଳେ ୨୦୨୫ ମତଦାତା ତାଲିକାରେ ନାମ ନାହିଁ । ମୋଟ ୫୮ ଲକ୍ଷ ୩୬ ହଜାର ୩୪୧ ଜଣ ଲୋକଙ୍କୁ ନୋଟିସ୍ ଜାରି କରାଯାଇଛି । ନୋଟିସ ପାଇବା ପରେ ସମ୍ପୃକ୍ତ ବ୍ୟକ୍ତି ସହାୟକ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO )ଙ୍କୁ ଆବଶ୍ୟକୀୟ କାଗଜପତ୍ର ଦେଇ ଧାର୍ଯ୍ୟ କରାଯାଇଥିବା ତାରିଖ, ସମୟ ଓ ସ୍ଥାନରେ ନିଜେ ଶୁଣାଣିରେ ଉପସ୍ଥିତ ରହି ନିଜେ ଆବଶ୍ୟକୀୟ ଦସ୍ତାବିଜ ଉପସ୍ଥାପନ କରି ନାମ ପୁନଃ ପଞ୍ଜିକରଣ କରିପାରିବେ। ନଚେତ୍ ସମ୍ପୃକ୍ତ ମତଦାତାମାନେ ବିଏଲଓଙ୍କୁ ସମସ୍ତ କାଗଜପତ୍ର ଦେଲେ ପ୍ରତ୍ୟକ୍ଷଭାବେ ଉପସ୍ଥିତ ରହିବାର କୌଣସି ଆବଶ୍ୟକତା ନାହିଁ । ନ ଚେତ voters.eci.gov.in ପୋର୍ଟାଲରେ ଲଗ୍ ଇନ୍ କରି ମଧ୍ୟ ଆବଶ୍ୟକୀୟ ଦସ୍ତାବିଜ ଦାଖଲ କରିପାରିବେ। ବୟସ୍କ ବ୍ୟକ୍ତି, ଭିନ୍ନକ୍ଷମ ବ୍ୟକ୍ତି , ରୋଗଗ୍ରସ୍ତ, ଶାରୀରିକ ଭାବେ ଅକ୍ଷମ ବ୍ୟକ୍ତି ତଥା ଦୁର୍ଗମ କିମ୍ବା ଅପହଞ୍ଚ ଅଞ୍ଚଳ ଏବଂ ରାଜ୍ୟ ବାହାରେ ରହୁଥିବା ବ୍ୟକ୍ତି ଭଳି ସମ୍ବେଦନଶୀଳ ବର୍ଗର ଭୋଟରମାନଙ୍କ ଶୁଣାଣି ସୁବିଧାଜନକ କରିବା ପାଇଁ ସାଧାରଣତଃ ସେମାନଙ୍କ ଶୁଣାଣି ପ୍ରକ୍ରିୟାରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବା ଆବଶ୍ୟକ ହେବ ନାହିଁ। ବରଂ ଦାବି ଓ ଆପତ୍ତି ଗୁଡ଼ିକ ସହଜ ସୁବିଧାଜନକ ଏବଂ ନିର୍ବିଘ୍ନରେ ନିଷ୍ପତ୍ତିକୁ ସୁନିଶ୍ଚିତ କରିବା ନିମନ୍ତେ ବିଏଲଓ ମାନେ ସମ୍ପୃକ୍ତ ଭୋଟରମାନଙ୍କ ବାସସ୍ଥାନରୁ ଆବଶ୍ୟକ ଦସ୍ତାବିଜ ସଂଗ୍ରହ କରିବେ ।ସଂଗୃହୀତ ଦସ୍ତାବିଜ ଏବଂ ପ୍ରାପ୍ତ ତଥ୍ୟ ଆଧାରରେ ନିର୍ବାଚନ ପଞ୍ଜିକରଣ ଅଧିକାରୀ ବା ଇଆରଓ ସମ୍ପୃକ୍ତ ଭୋଟରଙ୍କ ଯୋଗ୍ୟତା ନିର୍ଣ୍ଣୟ କରିବେ ।
ସେହିପରି ୫ ଜୁଲାଇ ରୁ ୪ ଅଗଷ୍ଟପର୍ଯ୍ୟନ୍ତ ଦାବି ଓ ଅଭିଯୋଗ ଦାଖଲ ସମୟ ସୀମା ରହିଛି । ଆପତ୍ତି ସମାଧାନ ୫ ଜୁଲାଇରୁ ୨ସେପ୍ଟେମ୍ବର ପର୍ଯ୍ୟନ୍ତ ନୋଟିସ ପର୍ଯ୍ୟାୟ ଓ ଦାବି କିମ୍ବା ଅଭିଯୋଗର ସମାଧାନ ହେବ । ୬ ସେପ୍ଟେମ୍ବର ୨୦୨୬ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ।
ରାଜ୍ୟରେ ବର୍ତ୍ତମାନ ଏସ୍ଆଇଆର୍ କାର୍ଯ୍ୟରେ ୧୪୭ ଜଣ ଇଆରଓ କାର୍ୟ୍ୟରତ ଅଛନ୍ତି । ସେହିପରି ଏଇଆରଓଙ୍କ ସଂଖ୍ୟା ୯୯୪ ଥିବାବେଳେ ଆଉ ନୂତନ ୪୦୦ ଜଣଙ୍କୁ ଏଇଆରଓ ଘୋଷଣା କରାଯିବ । ସେହପରି ୪୫ ହଜାର ୨୫୦ ଜଣ ବିଏଲଓ କାର୍ଯ୍ୟରତ ଅଛନ୍ତି । ଆଜି ପର୍ଯ୍ୟନ୍ତ ଫର୍ମ-୬ରେ ୨୬ ହଜାର ୭୪୫ ଟି ଆବେଦନ ହୋଇଥିବାବେଳେ ଫର୍ମ-୭ରେ ୨୨ ହଜାର ଏବଂ ଫର୍ମ-୮ରେ ୨୧୨୮ଟି ଆବେଦନ ହୋଇଛି ।