ପୁରୀ: ବାହୁଡ଼ା ଯାତ୍ରା ପାଇଁ ଆରମ୍ଭ ହୋଇଛି ଚୂଡ଼ାନ୍ତ ପ୍ରସ୍ତୁତି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଲୀଳା ସମାପନ ପରେ ଏବେ ଶ୍ରୀମନ୍ଦିର ଫେରିବାକୁ ପ୍ରସ୍ତୁତ ଚତୁର୍ଦ୍ଧା ବିଗ୍ରହ। ଏହାର ପୂର୍ବରୁ ରଥଯାତ୍ରାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଓ ଦୁର୍ଲଭ ପରମ୍ପରା ‘ଦକ୍ଷିଣ ମୋଡ଼’ ନୀତି ଆଜି ଶରଧାବାଲିରେ ଆରମ୍ଭ ହୋଇଛି। ଏହି ନୀତି ଶେଷ ହେବା ପରେ ତିନି ରଥ ନାକଚଣା ଦ୍ୱାର ଅଭିମୁଖେ ସ୍ଥାନାନ୍ତର ହେବେ ଏବଂ ବାହୁଡ଼ା ଯାତ୍ରା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବେ।
ଦକ୍ଷିଣ ମୋଡ଼ ନୀତି ରଥଯାତ୍ରାର ସବୁଠାରୁ ସ୍ୱତନ୍ତ୍ର ପରମ୍ପରା ମଧ୍ୟରୁ ଅନ୍ୟତମ। ସାଧାରଣ ରଥଟଣା ସମୟରେ ରଥକୁ କେବଳ ସମ୍ମୁଖ ପାର୍ଶ୍ୱରୁ ଟଣାଯାଉଥିବା ବେଳେ, ଦକ୍ଷିଣ ମୋଡ଼ ସମୟରେ ରଥର ଆଗ ଓ ପଛ ଉଭୟ ପାର୍ଶ୍ୱରେ ଦଉଡ଼ି ବାନ୍ଧି ରଥକୁ ନିର୍ଦ୍ଦିଷ୍ଟ ଦିଗକୁ ମୋଡ଼ାଯାଏ। ଏହି ଅନନ୍ୟ ପରମ୍ପରା ଶ୍ରୀଜଗନ୍ନାଥ ସଂସ୍କୃତିର ବିଶେଷ ପରିଚୟ ବହନ କରେ।
ଏହି ନୀତିରେ ମଧ୍ୟ ରହିଛି ଏକ ସ୍ୱତନ୍ତ୍ର ପରମ୍ପରା। ରଥଯାତ୍ରା ଓ ବାହୁଡ଼ା ଦିନ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପ୍ରଥମେ ଟଣାଯାଉଥିବା ବେଳେ, ଦକ୍ଷିଣ ମୋଡ଼ ସମୟରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ମୋଡ଼ ନିଆଯାଏ। ଏହାପରେ ବଳଭଦ୍ରଙ୍କ ତାଳଧ୍ୱଜ ଓ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଦକ୍ଷିଣ ମୋଡ଼ କରାଯାଏ।
ଶରଧାବାଲିରେ ଏହି ଅପୂର୍ବ ଦୃଶ୍ୟର ସାକ୍ଷୀ ହେବାକୁ ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସମାଗମ ହୋଇଛି। ସେବାୟତମାନଙ୍କ ମନ୍ତ୍ରୋଚ୍ଚାରଣ, ହୁଳହୁଳି, ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନିରେ ଶରଧାବାଲି ଭକ୍ତିମୟ ପରିବେଶରେ କମ୍ପି ଉଠିଛି। ଦକ୍ଷିଣ ମୋଡ଼ ନୀତି ସମ୍ପନ୍ନ ହେବା ପରେ ଚତୁର୍ଦ୍ଧା ବିଗ୍ରହଙ୍କ ବାହୁଡ଼ା ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହେବ। ଏବେ ଭକ୍ତଙ୍କ ଅପେକ୍ଷା କେବଳ ସେହି ପବିତ୍ର ମୁହୂର୍ତ୍ତକୁ, ଯେତେବେଳେ ମହାପ୍ରଭୁ ପୁଣିଥରେ ବଡ଼ଦାଣ୍ଡ ଦେଇ ନିଜ ଶ୍ରୀମନ୍ଦିରକୁ ବାହୁଡ଼ିବେ।