ଯାଜପୁର: ଅନ୍ତ୍ୟୋଦୟ ଗୃହ ଯୋଜନାର ଶେଷ କିସ୍ତି ଓ ବୋନସ୍ ଟଙ୍କା ମଞ୍ଜୁର କରିଦେବା ନାଁରେ ଜଣେ ଗରିବ ବିଧବାଙ୍କଠାରୁ ଲାଞ୍ଚ ମାଗି ଶେଷରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ଅଧୀନ କଚରାସାହି ଗ୍ରାମପଞ୍ଚାୟତର ପଞ୍ଚାୟତ ଏକ୍ସିକ୍ୟୁଟିଭ ଅଫିସର (PEO) ପ୍ରଫୁଲ୍ଲ କୁମାର ନାଥ।
ସୂଚନା ଅନୁସାରେ, ଜଣେ ବିଧବା ହିତାଧିକାରୀ ଅନ୍ତ୍ୟୋଦୟ ଗୃହ ଯୋଜନାରେ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜ ଘର ନିର୍ମାଣ କାମ ଶେଷ କରିଥିଲେ। ଯୋଜନାର ନିୟମ ଅନୁଯାୟୀ ସେ ଶେଷ କିସ୍ତି ସହ ବୋନସ୍ ଟଙ୍କା ପାଇବାକୁ ହକ୍ଦାର ଥିଲେ। କିନ୍ତୁ ସେହି ଟଙ୍କା ଛାଡ଼ କରିବା ପାଇଁ ପିଇଓ ପ୍ରଫୁଲ୍ଲ କୁମାର ନାଥ ପ୍ରଥମେ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ।
ହିତାଧିକାରୀ ଏତେ ଟଙ୍କା ଦେଇପାରିବେ ନାହିଁ ବୋଲି କହିବା ପରେ ପିଇଓ ଲାଞ୍ଚ ପରିମାଣକୁ ୫ ହଜାର ଟଙ୍କାକୁ କମାଇଥିଲେ। ଏପରିକି ଲାଞ୍ଚ ନଦେଲେ ଶେଷ କିସ୍ତି ଓ ବୋନସ୍ ଟଙ୍କା ମିଳିବ ନାହିଁ ବୋଲି ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି।
ଏହାପରେ ବିଧବା ହିତାଧିକାରୀ ଓଡ଼ିଶା ଭିଜିଲାନ୍ସର ସହାୟତା ନେଇଥିଲେ। ଅଭିଯୋଗକୁ ଆଧାର କରି ଭିଜିଲାନ୍ସ ଅଧିକାରୀମାନେ ଯୋଜନାବଦ୍ଧ ଭାବେ ଚଢ଼ାଉ କରି ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପ୍ରଫୁଲ୍ଲ କୁମାର ନାଥଙ୍କୁ ରଙ୍ଗେହାତ ଧରିଥିଲେ। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି।
ଗିରଫ ପରେ ଭିଜିଲାନ୍ସ ପକ୍ଷରୁ ପ୍ରଫୁଲ୍ଲ କୁମାର ନାଥଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି। ତାଙ୍କର ଆୟବହିର୍ଭୂତ ସମ୍ପତ୍ତି ରହିଛି କି ନାହିଁ, ସେନେଇ ତଦନ୍ତ କରାଯାଉଛି। ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ-୨୦୧୮ର ଧାରା-୭ ଅନୁଯାୟୀ ମାମଲା ରୁଜୁ କରାଯାଇଥିବାବେଳେ, ଘଟଣାର ଅଧିକ ତଦନ୍ତ ଜାରି ରହିଛି।