ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରେ ହେରାପଞ୍ଚମୀ ନୀତି ସମ୍ପନ୍ନ ହେବା ପରେ ଆଜି ରଥଯାତ୍ରାର ଅନ୍ୟତମ ମହତ୍ୱପୂର୍ଣ୍ଣ ପର୍ବ ‘ଦକ୍ଷିଣ ମୋଡ଼’ ପାଇଁ ଶରଧାବାଲିରେ ଭକ୍ତଙ୍କ ଭିଡ଼ ଜମିଥିଲା। ବାହୁଡ଼ା ଯାତ୍ରା ପୂର୍ବରୁ ତିନି ରଥକୁ ଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ନାକଚଣା ଦ୍ୱାର ଅଭିମୁଖେ ମୋଡ଼ାଯିବାର ଏହି ଅନନ୍ୟ ପରମ୍ପରା ରଥଯାତ୍ରାର ସବୁଠାରୁ ସ୍ୱତନ୍ତ୍ର ନୀତି ଭାବେ ପରିଚିତ।
ସାଧାରଣ ରଥଟଣା ସମୟରେ ରଥକୁ କେବଳ ସମ୍ମୁଖ ପାର୍ଶ୍ୱରୁ ଟଣାଯାଏ ଏବଂ ରଥ କେବେ ପଛକୁ ଫେରେନାହିଁ। କିନ୍ତୁ ଦକ୍ଷିଣ ମୋଡ଼ ବେଳେ ରଥର ଆଗ ଓ ପଛ ଉଭୟ ପାର୍ଶ୍ୱରେ ଦଉଡ଼ି ବାନ୍ଧି ଏହାକୁ ନିର୍ଦ୍ଦିଷ୍ଟ ଦିଗକୁ ମୋଡ଼ାଯାଏ। ଏହି ପରମ୍ପରା ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ଓ ଐତିହାସିକ ବିଧି।
ଅନ୍ୟ ଏକ ବିଶେଷତ୍ୱ ହେଉଛି, ରଥଯାତ୍ରା ଓ ବାହୁଡ଼ା ଦିନ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ପ୍ରଥମେ ଟଣାଯାଉଥିବା ବେଳେ, ଦକ୍ଷିଣ ମୋଡ଼ ସମୟରେ ପ୍ରଥା ଅନୁଯାୟୀ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ମୋଡ଼ ନିଆଯାଏ। ଏହାପରେ କ୍ରମାନୁସାରେ ବଳଭଦ୍ରଙ୍କ ତାଳଧ୍ୱଜ ଓ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଦକ୍ଷିଣ ମୋଡ଼ କରିଥାଏ। ଏହି ନୀତି ସମ୍ପନ୍ନ ହେବା ପରେ ବାହୁଡ଼ା ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟକୁ ପହଞ୍ଚିଥାଏ।
ତେବେ ଆଜି ପୁରୀରେ ଲଗାଣ ବର୍ଷା ଯୋଗୁଁ ଦକ୍ଷିଣ ମୋଡ଼ ନୀତି ବାଧାପ୍ରାପ୍ତ ହୋଇଥିଲା। ଦେବୀ ସୁଭଦ୍ରାଙ୍କ ରଥର ଦକ୍ଷିଣ ମୋଡ଼ ସମ୍ପନ୍ନ ହେବା ପରେ ତାଳଧ୍ୱଜ ରଥର ଦକ୍ଷିଣ ମୋଡ଼ ପ୍ରବଳ ବର୍ଷା କାରଣରୁ ସ୍ଥଗିତ ରଖାଯାଇଛି। ପ୍ରବଳ ବର୍ଷା କାରଣରୁ ପ୍ରବଳ ପାଣି ଜମିବା ସମ୍ଭାବନା ରହିଛି । ଭକ୍ତମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ରଥଯାତ୍ରାର ପରମ୍ପରା ଏବଂ ନୀତିକାନ୍ତିକୁ ଅକ୍ଷୁର୍ଣ୍ଣ ରଖି ସମସ୍ତ କାର୍ଯ୍ୟ କରାଯାଉଥିଲେ ହେଁ, ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି। ବର୍ତ୍ତମାନ ରଥଗୁଡ଼ିକ ଯେଉଁ ସ୍ଥାନରେ ରହିଛନ୍ତି, ସେହିଠାରେ ହିଁ ସେଗୁଡ଼ିକୁ ସୁରକ୍ଷିତ ଭାବେ ରଖାଯିବା ପାଇଁ ବ୍ୟବସ୍ଥା କରାଯାଉଛି ।
ଶ୍ରୀମନ୍ଦିର ପ୍ରଶାସନ ଏବଂ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ରଥର ବର୍ତ୍ତମାନ ସ୍ଥାନରେ ଆବଶ୍ୟକୀୟ ବ୍ୟାରିକେଡିଂ ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବର୍ଷା ସମୟରେ ଭକ୍ତମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ସୁରକ୍ଷା କର୍ମୀମାନେ ମୁତୟନ ରହିଛନ୍ତି । ସେହିପରି ବଡ଼ଦାଣ୍ଡରେ ଯାନବାହନ ଏବଂ ଜନସାଧାରଣଙ୍କ ଯାତାୟାତ ଯେପରି ସ୍ୱାଭାବିକ ଏବଂ ଶୃଙ୍ଖଳିତ ରହିବ, ସେଥିଲାଗି ମଧ୍ୟ ଟ୍ରାଫିକ ପୁଲିସ ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି।
ମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କ ନିଷ୍ପତ୍ତି ଅନୁଯାୟୀ, ଅବଶିଷ୍ଟ ଦକ୍ଷିଣ ମୋଡ଼ ନୀତି ଆସନ୍ତାକାଲି ସମ୍ପନ୍ନ କରାଯିବ। ଏହାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଅବ୍ୟାହତ ରହିଥିବାବେଳେ, ଆସନ୍ତାକାଲି ଶରଧାବାଲିରେ ପୁଣିଥରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି।