ବଲାଙ୍ଗୀର: ଚଳିତ ବର୍ଷ ଲୋୟର୍ ସୁକତେଲ ଡ୍ୟାମକୁ ସମ୍ପୂର୍ଣ୍ଣ ପୂରଣ କରାଯିବ । ଏଥିପାଇଁ ଭିଟାମାଟି ଛାଡ଼ିବାକୁ ପ୍ରଶାସନ ପକ୍ଷରୁ ତିନୋଟି ଗ୍ରାମକୁ ନୋଟିସ୍ ଯାଇଥିବାବେଳେ ନିଜ ଜିଦରେ ଅଟଳ ଗ୍ରାମବାସୀ । କୁମିଆପାଲି ଗ୍ରାମର ୮୪ଟି ପରିବାର ଉଚିତ କ୍ଷତିପୂରଣ ପାଇନଥିବାରୁ ଗାଁ ଛାଡ଼ି ନାହିଁ ବୋଲି ଚରମ ନିଷ୍ପତ୍ତି ନେଇଛନ୍ତି । ଉଚିତ କ୍ଷତିପୂରଣ ମିଳିବା ପରେ ଗାଁ ଛାଡ଼ିବେ ବୋଲି ପ୍ରଶାସନକୁ ସଫା ସଫା ଶୁଣାଇ ଦେଇଛନ୍ତି ।
ଆଜି ସୁଦ୍ଧା କୁମିଆପାଲି ଗାଁ ଲୋକେ ଘର ଛାଡ଼ିବାକୁ ନୋଟିସ୍ ହୋଇଥିଲା । ମାତ୍ର ଲୋକେ ନିଜ ଜିଦରେ ଅଟଳ ରହିଛନ୍ତି । ସେମାନଙ୍କ ଦାବି ଅନୁସାରେ ୨୦୧୩ ଆଇନରେ ଥଇଥାନ, ୨୦୨୬ ସୁଦ୍ଧା ୧୮ ବର୍ଷ ର ବ୍ୟକ୍ତିଙ୍କୁ କ୍ଷତିପୂରଣ ପ୍ରଦାନ, ଜମି ବଦଳ ରେ ଜମି ପ୍ରଦାନ କରିବାକୁ ଦାବି କରିଥିଲେ । ଲୋୟର ସୁକତେଲ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଓ ପୋଲିସ ପହଞ୍ଚି ଗ୍ରାମବାସୀଙ୍କୁ ଭିଟାମାଟି ଛାଡି ବିସ୍ଥାପିତ ହେବାକୁ କହିଥିଲେ ସେତେବେଳେ ଗ୍ରାମବାସୀ ଓ ପ୍ରଶାସନ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି। ଗୋଟିଏ ପଟେ ଗ୍ରାମବାସୀ ସଠିକ ବିସ୍ଥାପନ ନୀତିରେ ଥଇଥାନ କରାଯାଇନଥିବା ଅଭିଯୋଗ କରିଥିବା ବେଳେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଆଇନ ଅନୁସାରେ ଥଇଥାନ କରାଯାଉଛି ଯିଏ ଟଙ୍କା ନେଇଛନ୍ତି ସେମାନେ ବାଧ୍ୟ ହୋଇ ବିସ୍ଥାପିତ ହେବେ ବୋଲି କହିଛନ୍ତି । ଯାହାକୁ ନେଇ କୁମିଆଁପାଲିରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ କର୍ମଚାରୀ ମୁତୟନ କରାଯାଇଥିବାବେଳେ ଗ୍ରାମର ବରିଷ୍ଠ ନାଗରିକ, ଯୁବକ ଓ ମହିଳାମାନେ ଧନୁ ତୀର ଦେଖାଇ ପ୍ରତିବାଦ କରିଥିଲେ ।
୨୦୨୪ ମସିହାରେ ବଲାଙ୍ଗିର ଲୋୟର ସୁକତେଲ ପ୍ରକଳ୍ପ ଉଦଘାଟିତ ହୋଇଥିଲା । ଏହା ପୂର୍ବରୁ ଅନେକ ବାଦ ବିବାଦ ଭିତରେ ଏହି ପ୍ରକଳ୍ପ କାମ ତତ୍କାଳିନ ସରକାର ସଂପୂର୍ଣ୍ଣ କରିଥିବା ବେଳେ ବିସ୍ଥାପନ ସମସ୍ୟା ସମାଧାନ ହୋଇନାହିଁ । ଏହି ପ୍ରକଳ୍ପ ଦ୍ୱାରା ୨୯ ଖଣ୍ଡ ଗାଁ ପ୍ରଭାବିତ ହୋଇଛନ୍ତି । କିନ୍ତୁ ତବଲବାଞ୍ଜି, କୁମିଆପାଲି ଓ ଖୁଣ୍ଟପାଲି ଗ୍ରାମର ଶତାଧିକ ପରିବାର ଗାଁ ଛାଡିନଥିଲେ । ପ୍ରଶାସନ ସେମାନଙ୍କୁ ଗାଁ ଛାଡିବାକୁ ନେଇ ନୋଟିସ ଜାରି କରିଥିଲା । ଦୁଇ ଦିନ ପୂର୍ବରୁ ଖୁଣ୍ଟପାଲି ଗ୍ରାମବାସୀଙ୍କୁ ପ୍ରଶାସନ ଗାଁରୁ ବିସ୍ଥାପିତ ହୋଇସାରିଛନ୍ତି ।