ରାଉରକେଲା: ଲାଞ୍ଚ ନେବା ମହଙ୍ଗା ପଡ଼ିଲା ମହିଳା ରାଜସ୍ୱ ନିରୀକ୍ଷକଙ୍କୁ। ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ତହସିଲ ଅନ୍ତର୍ଗତ କାଲୋସିହିରାର ରାଜସ୍ୱ ନିରୀକ୍ଷକ (ଆର୍ଆଇ) ଅନିତା ଜେନାଙ୍କୁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଟିମ୍ ହାତେନାତ ଧରି ଗିରଫ କରିଛି। ଜଣେ ଆବେଦନକାରୀଙ୍କ ପୈତୃକ ଜମିର ଡିମାର୍କେସନ୍ ରିପୋର୍ଟ ପ୍ରଦାନ କରିବା ପାଇଁ ସେ ଏହି ଲାଞ୍ଚ ଦାବି କରୁଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଆବେଦନକାରୀ ଗତ କିଛି ମାସ ପୂର୍ବରୁ ତାଙ୍କ ପୈତୃକ ଜମିର ସୀମା ନିର୍ଦ୍ଧାରଣ (ଡିମାର୍କେସନ୍) ରିପୋର୍ଟ ପାଇଁ ଆବେଦନ କରିଥିଲେ। କିନ୍ତୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ଅନିତା ଜେନା ବିନା କୌଣସି କାରଣରେ ରିପୋର୍ଟ ପ୍ରଦାନରେ ବିଳମ୍ବ କରୁଥିଲେ। ପରେ ରିପୋର୍ଟ ଦେବା ବଦଳରେ ୪ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏପରିକି ଲାଞ୍ଚ ନଦେଲେ ରିପୋର୍ଟ ଦିଆଯିବ ନାହିଁ ବୋଲି ଧମକ ମଧ୍ୟ ଦେଉଥିବା ଅଭିଯୋଗ ହୋଇଛି।
ଏହାପରେ ଅତିଷ୍ଠ ହୋଇ ଆବେଦନକାରୀ ଓଡ଼ିଶା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଆଧାର କରି ଭିଜିଲାନ୍ସ ଟିମ୍ ଯୋଜନାବଦ୍ଧ ଭାବେ ଟ୍ରାପ୍ କରି ଅନିତା ଜେନାଙ୍କୁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି।
ଗିରଫ ପରେ ଆୟବହିର୍ଭୂତ ସମ୍ପତ୍ତି ଦିଗକୁ ନଜର ରଖି ଅନିତା ଜେନାଙ୍କ ସହ ସମ୍ପୃକ୍ତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି। ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା–୭ ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି।