ଭୁବନେଶ୍ୱର: ଆଗକୁ ଆସୁଥିବା ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଖୁବ ଶୀଘ୍ର ଭୋଟର୍ ତାଲିକା ପ୍ରସ୍ତୁତ କରାଯିବ । ଅକ୍ଟୋବର ୨୬ରୁ ନଭେମ୍ବର ୭ ପର୍ଯ୍ୟନ୍ତ କ୍ଷେତ୍ର ପରିଦର୍ଶନ ମଧ୍ୟରେ ଭୋଟର ତାଲିକା ପ୍ରସ୍ତୁତି କରାଯିବ । ଦୀର୍ଘ ୩୨ ବର୍ଷ ପରେ ରାଜ୍ୟରେ “ଡୋର୍ ଟୁ ଡୋର୍” ସର୍ଭେ ମାଧ୍ୟମରେ ପ୍ରକାଶ ପାଇବ ଭୋଟର୍ ତାଲିକା । ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଜି ବସିଥିବା ଉଚ୍ଚ ସ୍ତରୀୟ ବୈଠକ ପରେ ସୂଚନା ଦେଇଛନ୍ତି ବିଭାଗୀୟ ସଚିବ ସନ୍ତୋଷ କୁମାର ଦାସ ।
ଆଜି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ଆଭାସୀ ମାଧ୍ୟମରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ମାଜିଷ୍ଟ୍ରେଟ୍, ଏଡିଏମ୍, ୟୁଏଲ୍ବି ନୋଡାଲ ଅଫିସର, ଇଆର୍ଓ, ଏଇଆର୍ଓ ଏବଂ ପ୍ରଶାସନିକ ଅଧିକାରୀମାନେ ପ୍ରମୁଖ ଯୋଡ଼ି ହୋଇଥିଲେ । ବୈଠକରେ ଭୋଟର୍ ତାଲିକା, ବାଲାଟ୍ ବକ୍ସ ମରାମତି, ଭିତ୍ତିଭୂମି, ସ୍ୱଚ୍ଛ ନିର୍ବାଚନ ଭଳି ମୁଖ୍ୟ ପ୍ରସଙ୍ଗ ଗୁଡ଼ିକ ଉପରେ ଆଲୋଚନା ହୋଇଛି । ବୈଠକ ପରେ ବିଭାଗୀୟ ସଚିବ ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ ଏସ୍ଆଇଆର୍ ଜାରି ରହିଛି । ଏସ୍ଆଇଆର୍ ସରିବା ପରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ପ୍ରାଥମିକ ପଦକ୍ଷେପ ସ୍ୱରୂପ ପ୍ରଥମେ ଭୋଟର୍ ତାଲିକା ପ୍ରକାଶ ପାଇବ । ସେପ୍ଟେମ୍ବର ୬ ତାରିଖରେ ଏସ୍ଆଇଆରର ଭୋଟର୍ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ସେହି ଆଧାରରେ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ତାଲିକା ପ୍ରସ୍ତୁତ କରାଯିବ । ଏସ୍ଆଇଆର୍ ତାଲିକା ପାଇଁ ନିର୍ବାଚନ ଆୟୋଗଙ୍କୁ ସ୍ୱତନ୍ତ୍ର ଆବେଦନ କରାଯିବ । ସେହି ଆଧାରରେ ୱାର୍ଡ ୱାରୀ ଭୋଟର୍ ତାଲିକା ବିଭକ୍ତ କରାଯିବ । ଅକ୍ଟୋବର ୨୬ରୁ ନଭେମ୍ବର ୭ ପର୍ୟ୍ୟନ୍ତ ଭୋଟର୍ ତାଲିକା ପ୍ରକାଶ ପାଇବ । ଏଥିପାଇଁ ଡୋର୍ ଟୁ ଡୋର୍ ସର୍ଭେ ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯିବ । ଏହି ଟିମରେ ବିଏଲଓ, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ ଏବଂ ସ୍ୱଚ୍ଛ ସାଥୀ ପ୍ରମୁଖ ରହିବେ । ଏହିମାନେ କ୍ଷେତ୍ର ପରିଦର୍ଶନ କରିବେ । ଆସନ୍ତା ବର୍ଷ ଫେବୃଆରୀ ୧୦ ସୁଦ୍ଧା ରାଜ୍ୟର ସମସ୍ତ ୱାର୍ଡୱାରୀ ଚୂଡ଼ାନ୍ତ ଭୋଟର୍ ତାଲିକା ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି “ଡୋର୍ ଟୁ ଡୋର୍” ସର୍ଭେ ୧୯୯୪ ମସିହା ପରଠାରୁ ପ୍ରଥମ ଥର ପାଇଁ ରାଜ୍ୟରେ କରାଯିବ । ତେଣୁ ଏହା ସମସ୍ତଙ୍କ ପାଇଁ ଏକ ନୂତନ ପ୍ରକ୍ରିୟା ଅଟେ ।
ସେହିପରି ଆସନ୍ତା ନିର୍ବାଚନରେ କିଛି ବାଲାଟ୍ କିଣା ଯିବାକୁ ଥିବାବେଳେ କିଛି ବାଲାଟ୍ ବାକ୍ସର ମରାମତି କରିବାକୁ ନିଷ୍ପତ୍ତି ହୋଇଛି । ଏହା ସହିତ ଯେଉଁ ପୌରାଧ୍ୟକ୍ଷ ପଦ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଜନଗଣନା ପାଇଁ ପଞ୍ଚାୟତ ନିର୍ବାଚନ ସାମାନ୍ୟ ବିଳମ୍ବ ହେବ । ଆସନ୍ତା ବର୍ଷ ଜନଗଣନା ଶେଷ ହେବା ପରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସଚିବ ସୂଚନା ଦେଇଛନ୍ତି ।