କଟକ: ରାଜ୍ୟର ସର୍ବବୃହତ୍ ସରକାରୀ ଚିକିତ୍ସାନୁଷ୍ଠାନ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ନିର୍ମାଣଧୀନ ନୂଆ ମେଗା ବିଲ୍ଡିଂର କାମ ଦ୍ରୁତ ଗତିରେ ଆଗେଇ ଚାଲିଛି। ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ସଚିବ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରି କାମକୁ ଶୀଘ୍ର ଶେଷ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକଳ୍ପରେ ନିର୍ମାଣ ହେଉଥିବା ୪ଟି ଟାୱାର ମଧ୍ୟରୁ ୨ଟି ଟାୱାରର କାମ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଶେଷ ହେବ ବୋଲି ସୂଚନା ମିଳିଛି। ତେବେ ସେଥିରେ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଓ ଡିଜିଟାଲ ବ୍ୟବସ୍ଥା ସ୍ଥାପନ ପାଇଁ ଆହୁରି କିଛି ସମୟ ଲାଗିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।
ନୂଆ ବ୍ୟବସ୍ଥାର ସବୁଠୁ ବଡ଼ ବିଶେଷତ୍ୱ ହେଉଛି, ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ ପରେ ଆଉ ପରୀକ୍ଷା ପାଇଁ ବିଭାଗରୁ ବିଭାଗକୁ ଦୌଡ଼ିବାକୁ ପଡ଼ିବ ନାହିଁ। ଅତ୍ୟାଧୁନିକ ସ୍ୱୟଂଚାଳିତ ବ୍ୟବସ୍ଥା ମାଧ୍ୟମରେ ନମୁନା ସିଧାସଳଖ ପରୀକ୍ଷାଗାରକୁ ପହଞ୍ଚିବ, ଯାହାଦ୍ୱାରା ସମୟ ବଞ୍ଚିବା ସହ ରୋଗୀମାନେ ଶୀଘ୍ର ରିପୋର୍ଟ ପାଇପାରିବେ।
ଲୋକଙ୍କୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟରେ ପ୍ରକଳ୍ପର କାମକୁ ତ୍ୱରାନ୍ୱିତ କରିବା ପାଇଁ ଘନଘନ ସମୀକ୍ଷା ବୈଠକ, ଅଧିକାରୀସ୍ତରୀୟ ଆଲୋଚନା ଓ ନିରୀକ୍ଷଣ କରାଯାଉଛି। ନିର୍ମାଣ କାମ ଶେଷ ହେବା ପରେ ଏସ୍ସିବିର ସ୍ୱାସ୍ଥ୍ୟସେବାରେ ଏକ ବଡ଼ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି।