ଭୁବନେଶ୍ୱର: ରାଜ୍ୟରେ ସମସ୍ତ କାରାଗାରରେ ଲାଗିବ ଏଆଇ କ୍ୟାମେରା । କଏଦୀଙ୍କୁ ନଜର ରଖୁଛି ଏଆଇ କ୍ୟାମେରା । ଯଦି କୌଣସି କଏଦୀ ଏକାଠି ହେଉଛନ୍ତି ତେବେ ତୁରନ୍ତ ଆଲରାମ୍ ବାଜି ଜେଲରଙ୍କୁ ସୂଚନା ଦେବ । ଅକ୍ଟୋବରରୁ କଏଦୀ ଫେରାରର କୌଣସି ସୂଚନା ହସ୍ତଗତ ହୋଇନଥିବା କହିଛନ୍ତି ଜେଲ୍ ଡିଜି ସୁଶାନ୍ତ ରଥ ।
ମଙ୍ଗଳବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଚତୁର୍ଥ କାରାଗାର ବିକାଶ ବୋର୍ଡ ବା ପ୍ରିଜନ ଡେଭେଲପମେଣ୍ଟ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜେଲ ସୁରକ୍ଷା, ଭିତ୍ତିଭୂମି, କଏଦୀଙ୍କ ସଂସ୍କାର ପାଇଁ ନିଆଯାଉଥିବା ପଦକ୍ଷେପ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଜେଲରୁ କଏଦୀ ଚମ୍ପଟ୍ ବର୍ତ୍ତମାନ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଛି । ଯାହାର ନିରାକରଣ ପାଇଁ ସମସ୍ତ ଜେଲରେ ଏଆଇ କ୍ୟାମେରା ଲଗାଇବାକୁ ନିଷ୍ପତ୍ତି ହୋଇଛି । ଫେରାର କଏଦୀଙ୍କୁ ଧରିବାକୁ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଛି । କଏଦୀଙ୍କୁ ଜଗିବାକୁ ୨୦ ଟି ଜେଲ ପରିସରରେ ଏଆଇ ବେସଡ୍ କ୍ୟାମେରା ଲାଗିଥିବାବେଳେ ଆଗାମୀ ଦିନମାନଙ୍କରେ ରାଜ୍ୟର ସମସ୍ତ ଜେଲରେ ଏହି ବ୍ୟବସ୍ଥା କରାଯିବ । ଏଆଇ କ୍ୟାମେରା ଲାଗିବା ପରେ କଏଦୀ ଜେଲ ପାଚେରୀ ପାଖକୁ ଗଲେ କିମ୍ବା କିଛି କଏଦୀ ଏକାଠି ହେଲେ ଆଲାରାମ ବାଜି ଉଠୁଛି । ଅକ୍ଟୋବର ମାସରୁ ଯେଉଁ ସମସ୍ତ ଜେଲରେ ଏଭଳି ବ୍ୟବସ୍ଥା କରାଯାଇଛି ସେ ଜେଲରୁ କଏଦୀ ଫେରାର କୌଣସି ସୂଚନା ଆସି ନ ଥିବା ଜେଲ୍ ଡିଜି କହିଛନ୍ତି । ସେହିପରି ସୁରକ୍ଷା ବ୍ୟବସ୍ଥାରେ ବଡି କ୍ୟାମେରା, ଡ୍ରୋନ୍, ମେଟାଲ ଡିଟେକ୍ଟରେ ଆଦି ସୁବିଧା କରାଯାଉଛି ।
ସେହିପରି ବୈଠକରେ ଜେଲ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ରାଜ୍ୟ ୭ଟି ମଣ୍ଡଳ କାରାଗାରରେ ମୁକ୍ତାକାଶ ଜେଲ ଖୋଲାଯିବ । ଚୋଦ୍ୱାର, ବାଲେଶ୍ବର, ସମ୍ବଲପୁର, ବ୍ରହ୍ମପୁର, ବାରିପଦା, କୋରାପୁଟ ଏବଂ ଫୁଲବାଣୀରେ ସର୍କଲ ଜେଲରେ ମୁକ୍ତାକାଶ ଜେଲ୍ ଖୋଲିବ ।
ତତସହିତ କଏଦୀମାନଙ୍କ ଖାଦ୍ୟ, ସ୍ୱାସ୍ଥ୍ୟ ସେବା, ସଂସ୍କାର ପାଇଁ ନିଆଯାଉଥିବା ପଦକ୍ଷେପ ଉପରେ ଆଲୋଚନା ହୋଇଛି । ଜେଲ ବିଭାଗ ୧୧୮ ଜଣ ଯୋଗ ଟ୍ରେନର ଓ ୬୧ ଜଣ ମାନସିକ ସ୍ୱାସ୍ଥ୍ୟ କାଉନସିଲର ନିଯୁକ୍ତ ହୋଇଛନ୍ତି । ୨୦୨୫ ମସିହାରେ ୧୬୩୬ ଜଣଙ୍କୁ ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯିବା ସହ ୯୬ଟି କ୍ଷୁଦ୍ର ଉଦ୍ୟୋଗ ସାହାଯ୍ୟରେ କଏଦୀମାନଙ୍କୁ ନିଯୁକ୍ତ କରାଯାଇଛି । ୨୦୨୫-୨୬ ମଧ୍ୟରେ ସ୍ୱତନ୍ତ୍ର ଶିକ୍ଷା ଅଭିଯାନରେ ମାଟ୍ରିକ୍ ଠାରୁ ସ୍ନାତକୋତ୍ତର ପର୍ୟ୍ୟନ୍ତ ବିଭିନ୍ନ ପାଠ୍ୟକ୍ରମରେ ୨୧୮ ଜଣ ପାସ୍ କରିଥିବା ବୈଠକରୁ ଜଣାପଡ଼ିଛି ।