ନୂଆଦିଲ୍ଲୀ: କକ୍ରୋଚ ଜନତା ପାର୍ଟି ପରେ ଏବେ କଂଗ୍ରେସ ନିଟ୍ ପେପର୍ ଲିକକୁ ନେଇ ବଡ଼ ଆନ୍ଦୋଳନ ଆରମ୍ଭ କରିଛି । କଂଗ୍ରେସର ଆନ୍ଦୋଳନ ସଂସଦରୁ ବାହାରି ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଁଚିଛି । ଆଜି କଂଗ୍ରେସ ପକ୍ଷରୁ ନୂଆଦିଲ୍ଲୀ ଲୋକ କଲ୍ୟାଣ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ଧାରଣା ଦିଆଯାଇଛି । କଂଗ୍ରେସ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଧାରଣାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ।
କଂଗ୍ରେସର ସମସ୍ତ ବରିଷ୍ଠ ନେତୃବୃନ୍ଦମାନେ ରାଜାଜୀ ମାର୍ଗରେ ଏକତ୍ରିତ ହୋଇଥିଲେ । ଏହା ପରେ ପିଏମ୍ ବାସଭବନକୁ ଶୋଭଯାତ୍ରାରେ ଯାଇ ଧାରଣା ଦେଇଛନ୍ତି । ଖାଲି ସେତିକି ନୁହେଁ ହାତରେ ହାତକଢ଼ି ମଧ୍ୟ ପିନ୍ଧିଛନ୍ତି । ରାହୁଲ ଗାନ୍ଧୀ ଗତକାଲି ଆନ୍ଦୋଳନରତ ସିଜେପିର ଛାତ୍ର ନେତାଙ୍କ ଉପରେ ହୋଇଥିବା ଲାଠିଚାର୍ଜର ଜବାବ ମାଗିଛନ୍ତି । ରାହୁଲ ଦାବି କରିଛନ୍ତି ଯେ ସରକାର କୌଣସି ଦାୟିତ୍ୱ ନେବାକୁ ଚାହୁଁ ନାହାଁନ୍ତି କିମ୍ବା ସଂସଦରେ ଏ ପ୍ରସଙ୍ଗରେ କୌଣସି ଆଲୋଚନା ଚାହୁଁ ନାହାଁନ୍ତି । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଇସ୍ତଫା ଦିଅନ୍ତୁ । ସେହିପରି ମଲ୍ଲିକାର୍ଜୁନ ଖଡ଼ଗେ ସମର୍ଥନ କରି କହିଛନ୍ତି ଯେ କଂଗ୍ରେସ ଛାତ୍ରଙ୍କ ଅଧିକାର ଏବଂ ସେମାନଙ୍କ ଦାବିକୁ ସମର୍ଥନ କରୁଛି ।
ଉଲ୍ଲେଖ ଯୋଗ୍ୟ, ଆଜି ନିଟ୍ ପରୀକ୍ଷାରେ ପେପର ଲିକ୍କୁ ପ୍ରଥମ ଥର ପ୍ରଧାନମନ୍ତ୍ରୀ ପାଇଁ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏନଡିଏ ସଂସଦୀୟ ଦଳ ବୈଠକରେ ବକ୍ତବ୍ୟ ରଖି ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଦେଶର ଯୁବବର୍ଗଙ୍କ ଭବିଷ୍ୟତ ସହ କୌଣସି ପ୍ରକାର ଖେଳ ବରଦାସ୍ତ କରାଯିବ ନାହିଁ। ଏହି ପେପର ଲିକରେ ସମ୍ପୃକ୍ତ ଥିବା ଦୋଷୀମାନଙ୍କୁ କଠୋରରୁ କଠୋରତମ ଦଣ୍ଡ ଦିଆଯିବ। ପେପର ଲିକ୍ ପ୍ରସଙ୍ଗକୁ କୌଣସି ରାଜନୀତିକରଣ ନ କରିବାକୁ କହିଛନ୍ତି । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ଅତ୍ୟନ୍ତ ସମ୍ବେଦନଶୀଳତାର ସହ ତୁରନ୍ତ ପୁନଃ ପରୀକ୍ଷା କରାଇଛନ୍ତି ଏବଂ ତାହା ସଫଳତାର ସହ ଶେଷ ହୋଇଛି। ଆଗାମୀ ଦିନରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନହୁଏ, ସେଥିପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଓ କଡ଼ା ନିୟମାବଳୀ ପ୍ରସ୍ତୁତ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ।