ନୂଆଦିଲ୍ଲୀ: ସମାଜସେବୀ ସୋନମ୍ ୱାଙ୍ଗଚୁକ୍ଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ରଖାଯିବା ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଛି 'ସଫଦରଜଙ୍ଗ ହସ୍ପିଟାଲ୍ ରେସିଡେଣ୍ଟ ଡାକ୍ତର ସଂଘ' (RDA)। ଡାକ୍ତରମାନେ ସିଧାସଳଖ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। RDA ଅନୁସାରେ, ଯଦି କୌଣସି ରୋଗୀ ସଚେତନ ଅଛନ୍ତି ଏବଂ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ନିଷ୍ପତ୍ତି ନେବାକୁ ସକ୍ଷମ, ତେବେ ତାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ଅଟକ ରଖିବା ଠିକ୍ ନୁହେଁ। ୱାଙ୍ଗଚୁକ୍ଙ୍କ 'ଲିଭ୍ ଏଗେନ୍ଷ୍ଟ ମେଡିକାଲ୍ ଆଡଭାଇସ୍' (LAMA) ଅଧିକାରକୁ ସମ୍ମାନ ଦିଆଯିବା ଉଚିତ୍।
ହସ୍ପିଟାଲରେ ଅତ୍ୟଧିକ ପୋଲିସ ବଳ ମୁତୟନ ଓ କଟକଣା ଯୋଗୁଁ ସାଧାରଣ ରୋଗୀସେବା ବାଧାପ୍ରାପ୍ତ ହେଉଥିବା ଡାକ୍ତରମାନେ ଅଭିଯୋଗ କରିଛନ୍ତି। ସ୍ୱାସ୍ଥ୍ୟସେବା ଅନୁଷ୍ଠାନକୁ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାର ଶାଖା ଭାବେ ବ୍ୟବହାର ନକରିବାକୁ ଚେତାବନୀ ଦିଆଯାଇଛି। ନୀଟ୍ ପେପର ଲିକ୍ ଏବଂ ଅନ୍ୟାନ୍ୟ ଦାବି ନେଇ ଜନ୍ତର ମନ୍ତରରେ ୨୧ ଦିନ ଧରି ଅନଶନରେ ବସିଥିଲେ ୱାଙ୍ଗଚୁକ୍। ହସ୍ପିଟାଲରେ ରଖାଯିବାକୁ ସେ ନିଜେ "ଅବୈଧ ଅଟକ" ବୋଲି ଦର୍ଶାଇଥିଲେ।
ସଫଦରଜଙ୍ଗ RDA ସହ AIIMSର RDA ମଧ୍ୟ ଏହି ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ନିକଟରେ ଦାବିପତ୍ର ଦାଖଲ କରିଛନ୍ତି। ସରକାରୀ ହସ୍ପିଟାଲଗୁଡ଼ିକ ଯେପରି ଗଣତାନ୍ତ୍ରିକ ନିୟମ ଏବଂ ମେଡିକାଲ୍ ଏଥିକ୍ସ ଆଧାରରେ ପରିଚାଳିତ ହୁଏ, ତାହା ସୁନିଶ୍ଚିତ କରିବାକୁ ନିବେଦନ କରାଯାଇଛି।
Also Read: NEET ପେପର ଲିକ୍: 'ଯୁବକଙ୍କ ଭବିଷ୍ୟତ ସହ ଖେଳ ଚଳିବନି', ପ୍ରଥମ ଥର ମୁହଁ ଖୋଲିଲେ PM ମୋଦୀ