ନୂଆଦିଲ୍ଲୀ: ୟୁକ୍ରେନ ଉପକୂଳରେ ଯାତ୍ରା କରୁଥିବା ଗିନି-ବିସାଉ ପତାକାଧାରୀ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣରେ ଚାରି ଜଣ ଭାରତୀୟ ନାଗରିକଙ୍କ ସମେତ ଦଶ ଜଣଙ୍କର ମୃତ୍ୟୁ ହୋଇଛି। ଭାରତ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି ଏବଂ ସଂଘର୍ଷ ସମୟରେ ବାଣିଜ୍ୟିକ ଜାହାଜର ସୁରକ୍ଷା ପାଇଁ ତା'ର ଆହ୍ୱାନକୁ ଦୋହରାଇଛି।
ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରି ସିବିହା କହିଛନ୍ତି ଯେ ରୁଷ ରବିବାର ଦିନ ସିରିଆ ଏବଂ ଭାରତୀୟ ନାଗରିକଙ୍କୁ ନେଇ ଏକ ବେସାମରିକ ଜାହାଜ ଉପରେ ଆକ୍ରମଣ କରିଥିଲା, ଯେତେବେଳେ ଏହା ୟୁକ୍ରେନୀୟ ସାମୁଦ୍ରିକ କରିଡର ଦେଇ ଯାତ୍ରା କରୁଥିଲା। ଋଷ-ୟୁକ୍ରେନ ଯୁଦ୍ଧରେ ଭାରତୀୟ ନାବିକଙ୍କ ମୃତ୍ୟୁ ହେବାର ଏହା ପ୍ରଥମ ଘଟଣା।
ୟୁକ୍ରେନର ବାୟୁସେନା ଦାବି କରିଛି ଯେ ରୁଷ ଗିନି-ବିସାଉ ପତାକାଧାରୀ ଜାହାଜ ଉପରେ କ୍ରୁଜ୍ ମିସାଇଲ୍ ସାହାଯ୍ୟରେ ଆକ୍ରମଣ କରିଥିଲା। ଭାରତର ବୈଦେଶିକ ମନ୍ତ୍ରଣାଳୟ ରିପୋର୍ଟ କରିଛି ଯେ ବାଣିଜ୍ୟିକ ଜାହାଜ, ଏମଭି ଗୋଲଡେନ୍ ଲିଓରେ ପାଞ୍ଚ ଜଣ ଭାରତୀୟ ନାଗରିକଙ୍କ ସମେତ ୧୭ ଜଣ କ୍ରୁ ସଦସ୍ୟ ଥିଲେ। ଭାରତ ଏହି ଆକ୍ରମଣକୁ ନିନ୍ଦା କରି କହିଛି ଯେ ବାଣିଜ୍ୟିକ ଜାହାଜକୁ ଟାର୍ଗେଟ କରିବା ଏବଂ ନିର୍ଦ୍ଦୋଷ ନାଗରିକ କ୍ରୁ ସଦସ୍ୟଙ୍କ ଜୀବନକୁ ବିପଦରେ ପକାଇବା ‘ନିନ୍ଦନୀୟ ଏବଂ ଏହାକୁ ଏଡାଇ ଦିଆଯିବା ଉଚିତ’।
ବୈଦେଶିକ ମନ୍ତ୍ରଣାଳୟ କହିଛି, ୧୯ ଜୁଲାଇ ସନ୍ଧ୍ୟାରେ, ଓଡେସା ବନ୍ଦରରୁ ପ୍ରସ୍ଥାନ କରିବା ସମୟରେ ଏମଭି ଗୋଲଡେନ୍ ଲିଓ ଉପରେ ଆକ୍ରମଣ କରାଯାଇଥିଲା। ଘଟଣା ସମୟରେ, ଜାହାଜଟି ୧୭ ଜଣ କ୍ରୁ ସଦସ୍ୟଙ୍କୁ ନେଇଯାଉଥିଲା, ଯେଉଁଥିରେ ପାଞ୍ଚ ଜଣ ଭାରତୀୟ ନାଗରିକ ଥିଲେ। ମନ୍ତ୍ରଣାଳୟ ଆହୁରି କହିଛି, ଉପଲବ୍ଧ ସୂଚନା ଅନୁଯାୟୀ, ଚାରି ଜଣ ଭାରତୀୟ ନାଗରିକଙ୍କ ଦୁଃଖଦ ମୃତ୍ୟୁ ଘଟିଛି, ଯେତେବେଳେ ଜଣେ ଭାରତୀୟ ନାଗରିକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି।
ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ପରିସ୍ଥିତି ଉପରେ କଡ଼ା ନଜର ରଖିଛି ଏବଂ ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଉଛି। ମନ୍ତ୍ରଣାଳୟ ଆହୁରି କହିଛି, ଆମେ ମୃତ ଭାରତୀୟ ନାଗରିକଙ୍କ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରୁଛୁ ଏବଂ ଆହତ ଭାରତୀୟ ନାଗରିକଙ୍କ ଶୀଘ୍ର ଏବଂ ସମ୍ପୂର୍ଣ୍ଣ ଆରୋଗ୍ୟ କାମନା କରୁଛୁ।
ରୁଷର ନାମ ସିଧାସଳଖ ନ ନେଇ, ବୈଦେଶିକ ମନ୍ତ୍ରଣାଳୟ କହିଛି, ଭାରତ ଏପରି ଆକ୍ରମଣକୁ ନିନ୍ଦା କରୁଛି ଏବଂ ପୁନରାବୃତ୍ତି କରୁଛି ଯେ ବାଣିଜ୍ୟିକ ଜାହାଜକୁ ଟାର୍ଗେଟ କରିବା, ନିର୍ଦ୍ଦୋଷ କ୍ରୁ ସଦସ୍ୟଙ୍କ ଜୀବନକୁ ବିପଦରେ ପକାଇବା, କିମ୍ବା ନୌଚାଳନା ଏବଂ ବାଣିଜ୍ୟର ସ୍ୱାଧୀନତାକୁ ବାଧା ଦେବା ନିନ୍ଦନୀୟ ଏବଂ ଏହା କରାଯିବା ଉଚିତ୍ ନୁହେଁ।
ଅଧିକ ପଢ଼ନ୍ତୁ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା ରଥ: ଦୁଇ ଛାତ୍ରଙ୍କ ମୃତ୍ୟୁ, ସାତ ଜଣ ଗୁରୁତର