ନୂଆଦିଲ୍ଲୀ: ସାମାଜିକ କର୍ମୀ ସୋନମ୍ ୱାଙ୍ଗଚୁକ୍ଙ୍କ ଚିକିତ୍ସାକୁ ନେଇ ଚାଲିଥିବା ଆଇନଗତ ଲଢ଼େଇରେ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ୱାଙ୍ଗଚୁକ୍ଙ୍କୁ ନୂଆଦିଲ୍ଲୀସ୍ଥିତ ସଫଦରଜଙ୍ଗ ହସ୍ପିଟାଲ୍ରୁ ପ୍ରସିଦ୍ଧ ବେସରକାରୀ ହସ୍ପିଟାଲ୍ 'ମେଦାନ୍ତା' କୁ ଶିଫ୍ଟ କରିବା ପାଇଁ ଅଦାଲତ ଅନୁମତି ଦେଇଛନ୍ତି। ତାଙ୍କ ପତ୍ନୀ ଗୀତାଞ୍ଜଳିଙ୍କ ଦ୍ୱାରା ଦାଖଲ ଆବେଦନର ଶୁଣାଣି କରି ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ବେଞ୍ଚ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି।
ଅଦାଲତଙ୍କ ନିର୍ଦ୍ଦେଶ ମୁତାବକ, ମେଦାନ୍ତା ହସ୍ପିଟାଲରେ ତୁରନ୍ତ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ଏକ ସ୍ୱତନ୍ତ୍ର ପ୍ୟାନେଲ୍ ଗଠନ କରାଯିବ। ଏହି ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ୱାଙ୍ଗଚୁକ୍ଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ କ୍ରମାଗତ ନଜର ରଖିବା ସହ ତାଙ୍କର ଆବଶ୍ୟକୀୟ ଚିକିତ୍ସା ପ୍ରକ୍ରିୟା ପରିଚାଳନା କରିବେ।
ଏତଦ୍ବ୍ୟତୀତ, କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ସଫଦରଜଙ୍ଗ ହସ୍ପିଟାଲରେ ଏପର୍ଯ୍ୟନ୍ତ କରାଯାଇଥିବା ସମସ୍ତ ମେଡିକାଲ୍ ପରୀକ୍ଷା, ଟେଷ୍ଟ୍ ରିପୋର୍ଟ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ମେଦାନ୍ତାର ଡାକ୍ତରୀ ପ୍ୟାନେଲ୍କୁ ହସ୍ତାନ୍ତର କରାଯିବ। ଚିକିତ୍ସାରେ ଯେପରି କୌଣସି ପ୍ରକାର ତ୍ରୁଟି ନରହେ ଏବଂ ସମ୍ପୂର୍ଣ୍ଣ ମେଡିକାଲ୍ ସୂଚନା ସ୍ୱଚ୍ଛତାର ସହ ସେୟାର୍ କରାଯାଏ, ସେଥିପାଇଁ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ସୋନମ୍ ୱାଙ୍ଗଚୁକ୍ଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ରଖାଯିବା ଏବଂ ସେଠାରେ ତାଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଓ ଉଚିତ୍ ଚିକିତ୍ସା ମିଳୁନଥିବା ଅଭିଯୋଗ କରି ତାଙ୍କ ପତ୍ନୀ ଗୀତାଞ୍ଜଳି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୱାଙ୍ଗଚୁକ୍ଙ୍କୁ ତାଙ୍କ ପସନ୍ଦର ପ୍ରାଇଭେଟ୍ ହସ୍ପିଟାଲ୍କୁ ଶିଫ୍ଟ କରିବା ପାଇଁ ସେ ଦାବି କରିଥିବା ବେଳେ, କୋର୍ଟଙ୍କ ଏହି ରାୟ ପରେ ତାଙ୍କ ପରିବାରକୁ ବଡ଼ ଆଶ୍ୱସ୍ତି ମିଳିଛି।
Also Read: 'ହସ୍ପିଟାଲ୍ କୋଠରୀ ଜେଲ୍ ନୁହେଁ, ସେବା ସ୍ଥଳ!' , ସୋନମ୍ ୱାଙ୍ଗଚୁକ୍ଙ୍କ ସମର୍ଥନରେ ଡାକ୍ତର ସଂଘ