ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଜାରି ରହିଥିବା ‘କାକରୋଚ୍ ଜନତା ପାର୍ଟି’ (CJP)ର ଆନ୍ଦୋଳନ ମଧ୍ୟରେ ସରକାରଙ୍କ ସହ ଚାଲିଥିବା ଆଲୋଚନାକୁ ନେଇ ଆନ୍ଦୋଳନକାରୀମାନେ ନୂଆ ଏବଂ କଡ଼ା ସର୍ତ୍ତ ରଖିଛନ୍ତି। ବୁଧବାର ସିଜେପି ପ୍ରବକ୍ତା ସୌରଭ ଦାସ ସ୍ପଷ୍ଟ କରିଛନ୍ତି ଯେ, ଆନ୍ଦୋଳନର ସମାଧାନ ପାଇଁ ସେମାନେ ସରକାରଙ୍କ ସହ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ ଅଛନ୍ତି, ମାତ୍ର ଏହି ବୈଠକ କୌଣସି ନେତାଙ୍କ ବାସଭବନ କିମ୍ବା କାର୍ଯ୍ୟାଳୟରେ ହେବ ନାହିଁ। ଆଲୋଚନା ପାଇଁ ସରକାରୀ ନେତାମାନେ ହୁଏତ ଜନ୍ତର ମନ୍ତର ଆସନ୍ତୁ କିମ୍ବା କନଷ୍ଟିଚ୍ୟୁସନ୍ କ୍ଲବ୍ ଭଳି କୌଣସି ସାଧାରଣ ନିରପେକ୍ଷ ସ୍ଥାନରେ ଏହି ବୈଠକ ଆୟୋଜନ କରାଯାଉ।
ସୌରଭ ଦାସଙ୍କ କହିବା ଅନୁଯାୟୀ, ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀମାନେ ସେମାନଙ୍କ ସହ ଯୋଗାଯୋଗ କରି ସରକାର ଆଲୋଚନା କରିବାକୁ ଚାହୁଁଥିବା ଜଣାଇଥିଲେ। ତେବେ ପୂର୍ବରୁ ସରକାର ଆନ୍ଦୋଳନକାରୀ ନିଜଆଡ଼ୁ ଆଲୋଚନା ପାଇଁ ନିବେଦନ କରୁଛନ୍ତି ବୋଲି ମିଥ୍ୟା ଦାବି କରିଥିଲେ, କିନ୍ତୁ ଏବେ ନିଜେ ସରକାର ଆଲୋଚନା ପ୍ରସ୍ତାବ ଦେଇଥିବା ସ୍ୱୀକାର କରିଛନ୍ତି। ସରକାରଙ୍କୁ ଆନ୍ଦୋଳନର ପ୍ରଥମ ଦିନରୁ ହିଁ କଥାବାର୍ତ୍ତା କରିବା ଉଚିତ୍ ଥିଲା। ସେମାନେ ସମସ୍ତେ ପାଠପଢ଼ୁଆ ଏବଂ ସେମାନେ ଜାଣନ୍ତି ଯେ କେବଳ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ହିଁ ସମସ୍ୟାର ସମାଧାନ ସମ୍ଭବ।
ଏହା ପୂର୍ବରୁ ସୋମବାର ଦିନ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ସରକାରୀ ବାସଭବନରେ ସିଜେପି ପ୍ରତିନିଧିମାନଙ୍କର ପ୍ରଥମ ପର୍ଯ୍ୟାୟ ଆଲୋଚନା ହୋଇଥିଲା। ସିଜେପି ପ୍ରବକ୍ତା ଆଶୁତୋଷ ରଙ୍କା ଏବଂ ସୌରଭ ଦାସ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ପରୀକ୍ଷା ପରିଚାଳନାରେ ଦେଖାଦେଇଥିବା ଅନିୟମିତତାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସମେତ ଅନ୍ୟାନ୍ୟ ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ। ସେତେବେଳେ କେନ୍ଦ୍ରମନ୍ତ୍ରୀ ନଡ୍ଡା ଦଳର ଶୀର୍ଷ ନେତୃତ୍ୱଙ୍କ ସହ ଏହି ସମ୍ପର୍କରେ ଚର୍ଚ୍ଚା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ସେପଟେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା କହିଛନ୍ତି ଯେ ସିଜେପି ପ୍ରତିନିଧିମାନଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ବାର୍ତ୍ତାଳାପ ହୋଇଛି ଏବଂ ସେ ସମସ୍ତ ଆନ୍ଦୋଳନକାରୀଙ୍କୁ ଧାରଣା ପ୍ରତ୍ୟାହୃତ କରି ସାଧାରଣ ସ୍ଥିତି ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି। ତେବେ ସୋସିଆଲ ମିଡିଆ 'ଏକ୍ସ' ରେ ପୋଷ୍ଟ କରି ସୌରଭ ଦାସ ଜଣାଇଛନ୍ତି ଯେ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଠୋସ୍ ଆଶ୍ୱାସନା ମିଳିନାହିଁ। ତେଣୁ ସେମାନଙ୍କର ସମସ୍ତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଓ ଦାବି ହାସଲ ଲଢ଼େଇ ଜାରି ରହିବ।