ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ଅନେକ ମେଟ୍ରୋ ଷ୍ଟେସନରେ ମେଟ୍ରୋ ଟ୍ରେନ୍ ବାତିଲ କରାଯାଇଛି । ଜନପଥ, ରାଜୀବ ଚୌକ, ପଟେଲ ଚୌକ ଏବଂ କେନ୍ଦ୍ର ସଚିବାଳୟ ସମେତ ୧୬ଟି ଷ୍ଟେସନରେ ମେଟ୍ରୋ ବାତିଲ ହୋଇଛି । ସୁରକ୍ଷା ଦୃଷ୍ଟିରୁ ମେଟ୍ରୋ ବାତିଲ କରାଯାଇଥିବା ଦିଲ୍ଲୀ ମେଟ୍ରୋ ରେଳ ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।
ଡିଏମଆରସିର ସୂଚନା ଆଧାରରେ ଜନପଥ, ରାଜୀବ ଚୌକ, ପଟେଲ ଚୌକ, କେନ୍ଦ୍ର ସଚିବାଳୟ, ଲୋକ କଲ୍ୟାଣ ମାର୍ଗ, ରାମକୃଷ୍ଣ ଆଶ୍ରମ ମାର୍ଗ, ବାରାଖମ୍ବା ରୋଡ୍, ସୁପ୍ରିମକୋର୍ଟ, ସେବା ତୀର୍ଥ, ମଣ୍ଡି ହାଉସ, ଆଇଟିଓ, ଦିଲ୍ଲୀ ଗେଟ୍, ଇନ୍ଦ୍ରପ୍ରସ୍ଥ, ଖାନ ମାର୍କେଟ୍ ଜୋର ବାଗ ଏବଂ ଶିବାଜୀ ଷ୍ଟାଡିୟମ ମେଟ୍ରୋ ଷ୍ଟେସନରେ ପ୍ରବେଶ ଓ ପ୍ରସ୍ଥାନ ଉପରେ ପ୍ରତିବନ୍ଧକ ଲଗାଯାଇଛି । ରାଜୀବ ଚୌକ, ମଣ୍ଡି ହାଉସ ଏବଂ କେନ୍ଦ୍ରୀୟ ସଚିବାଳୟ ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ ଇଣ୍ଟରଚେଞ୍ଜ ସୁବିଧା ଉପଲବ୍ଧ ରହିବ ବୋଲି ଡିଏମଆରସି ସ୍ପଷ୍ଟ କରିଛି। ତେଣୁ ଯାତ୍ରା ପୂର୍ବରୁ ମେଟ୍ରୋ ସୂଚନା ନେବାକୁ ଅନୁରୋଧ କରାଯାଇଛି । କେବେ ଖୋଲାଯିବ ସେ ନେଇ କୌଣସି ସୂଚନା ମଧ୍ୟ ଜାରି କରାଯାଇନାହିଁ ।
ଏହା ପୂର୍ବରୁ ସୋମବାର ସିଜେପିର ଆନ୍ଦୋଳନ ବେଳେ କିଛି ସମୟ ପାଇଁ ରାଜୀବ ଚୌକ ସମେତ ୫ଟି ଷ୍ଟେସନରେ ପ୍ରବେଶ ଓ ପ୍ରସ୍ଥାନ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ପଟେଲ୍ ଚୌକ, ରାଜୀବ ଚୌକ, ଉଦ୍ୟୋଗ ଭବନ, ସେବା ତୀର୍ଥ ଏବଂ କେନ୍ଦ୍ର ସଚିବାଳୟ ମେଟ୍ରୋ ଷ୍ଟେସନ ବନ୍ଦ ରହିଥିଲା ।