ନୂଆଦିଲ୍ଲୀ: ଦିଲ୍ଲୀରେ ଆନ୍ଦୋଳନରତ ଛାତ୍ରଙ୍କ ଉପରେ ପୋଲିସର ଲାଠି ଚାର୍ଜ ମାମଲାର ତ୍ୱରିତ ଶୁଣାଣି ଆବେଦନକୁ ମାନ୍ୟବର ସର୍ବୋଚ୍ଚ ଅଦାଲତ ପ୍ରତ୍ୟାଖ୍ୟାନ କରିଛନ୍ତି । ଅଦାଲତଙ୍କ ପାଖରେ କୌଣସି ଭିଡ଼ିଓ ଦେଖିବାକୁ ଏତେ ସମୟ ନାହିଁ ବୋଲି ସଫା ସଫା ମନା କରିଦେଇଛନ୍ତି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ।
ଜଣେ ବରିଷ୍ଠ ଆଇନଜୀବୀ ଆନ୍ଦୋଳନ ଛାତ୍ରଙ୍କ ଉପରେ ହୋଇଥିବା ଲାଠିଚାର୍ଜ ବିରୁଦ୍ଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆନ୍ଦୋଳନ ବେଳର ଭିଡ଼ିଓ ଦେଖି ନିଜ ଆଡ଼ୁ ମାମଲାର ଶୁଣାଣି କରିବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ । ମାତ୍ର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଆଇନଜୀବୀଙ୍କ କଥାକୁ ଅଧାରୁ ଅଟକାଇ ମାମଲାର ତ୍ୱରିତ ଶୁଣାଣି ପାଇଁ ସ୍ପଷ୍ଟ ଭାବରେ ମନା କରିଦେଇଛନ୍ତି । ପ୍ରଧାନ ବିଚାରପତି କହିଛନ୍ତି ଯେ କୋର୍ଟଙ୍କୁ ଭିଡ଼ିଓ ଦେଖିବାରେ ନା କୌଣସି ଇଚ୍ଛା ଅଛି ନା ଏତେ ସମୟ ଅଛି । ତେଣୁ ନିଜେ ଓକିଲ ତାଙ୍କର ଏବଂ ଅଦାଲତର ସମୟ ବରବାଦ କରନ୍ତୁ ନାହିଁ ।
ଏହା ପରେ ମଧ୍ୟ ଓକିଲ ଜଣକ କହିଥିଲେ ଯେ ଆନ୍ଦୋଳନରତ ଛାତ୍ରମାନେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି । ନିଟ୍ ପରୀକ୍ଷାକୁ ସଠିକ୍ ଢଙ୍ଗରେ ଆୟୋଜନ କରିବା ଏବଂ ଏନଟିଏର ସୁଧାର ଭଳି ପ୍ରସଙ୍ଗ ଉଠାଇଛନ୍ତି । ଭବିଷ୍ୟତରେ ଯେପରି କୌଣସି ପ୍ରକାର ଅନିୟମିତତା ନ ହୁଏ ସେ ନେଇ ଛାତ୍ରମାନେ ଦାବି କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ସୋମବାର ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଜନ୍ତରମନ୍ତର ଯୁଦ୍ଧ କ୍ଷେତ୍ରରେ ପରିଣତ ହୋଇଥିବା । ଆନ୍ଦୋଳନରତ ସିଜେପି କର୍ମକର୍ତ୍ତା ଓ ଛାତ୍ର ଏବଂ ପୋଲିସ କର୍ମୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିବା ଦେଖିବାକୁ ମିଳିଥିଲା । ସଂସଦ ଅଭିମୁଖେ ଅଗ୍ରସର ହେଉଥିବାବେଲେ ଛାତ୍ରଙ୍କୁ ଅଟକାଇବାକୁ ପୋଲିସ ଲାଠିଚାର୍ଜ କରିଥିବାବେଳେ ଆନ୍ଦୋଳନକାରୀ ମଧ୍ୟ ପୋଲିସକୁ ପାଲଟା ଆକ୍ରମଣ କରିଥିବା ଦେଖିବାକୁ ମିଳିଥିଲା । ଯାହା ସାରା ଦେଶରେ ଏକ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।