ସମ୍ବଲପୁର: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳର ପ୍ରବାହ ଲଗାତାର ବଢ଼ୁଥିବାରୁ ପୁଣିଥରେ ବଢ଼ିଛି ସତର୍କତା। ପରିସ୍ଥିତିକୁ ଦୃଷ୍ଟିରେ ରଖି ରବିବାର ହୀରାକୁଦ ବନ୍ଧର ଆଉ ୨ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ଏହା ସହ ବର୍ତ୍ତମାନ ମୋଟ ୧୦ଟି ଗେଟ୍ ଦେଇ ମହାନଦୀକୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି।
ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂଚନା ଅନୁସାରେ, ବର୍ତ୍ତମାନ ବାମ ପାର୍ଶ୍ୱର ୭ଟି ଏବଂ ଡାହାଣ ପାର୍ଶ୍ୱର ୩ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ଉପରମୁଣ୍ଡରୁ ବିପୁଳ ପରିମାଣରେ ପାଣି ପ୍ରବେଶ କରୁଥିବାରୁ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇ ୬୧୩.୩୯ ଫୁଟ୍ରେ ପହଞ୍ଚିଛି।
ବର୍ତ୍ତମାନ ପ୍ରତି ସେକେଣ୍ଡରେ ୨,୧୦,୨୦୪ କ୍ୟୁସେକ୍ ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଥିବାବେଳେ ବିଭିନ୍ନ ମାର୍ଗ ଦେଇ ୧,୮୬,୧୩୩ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି। ଉପର ଅଞ୍ଚଳରେ ଅବିରତ ବର୍ଷା ଯୋଗୁଁ ଆଗାମୀ ଦିନରେ ଜଳପ୍ରବାହ ଆହୁରି ବଢ଼ିବାର ସମ୍ଭାବନା ଥିବାରୁ ଜଳସମ୍ପଦ ବିଭାଗ ପରିସ୍ଥିତି ଉପରେ କଡ଼ା ନଜର ରଖିଛି।
ଗତ ୨୪ ଘଣ୍ଟାରେ ହୀରାକୁଦର ଉପରମୁଣ୍ଡରେ ୨୫.୦୫ ମିଲିମିଟର ଏବଂ ତଳମୁଣ୍ଡରେ ୧୮.୨୭ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏହି ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଗତ ୯ ତାରିଖରେ ଆରମ୍ଭ ହୋଇଥିଲା। ପରେ ୧୪ ତାରିଖରେ ସମସ୍ତ ଗେଟ୍ ବନ୍ଦ କରାଯାଇଥିଲା। କିନ୍ତୁ ଉପରମୁଣ୍ଡରେ ପୁଣି ବର୍ଷା ବଢ଼ିବା ସହ ଜଳପ୍ରବାହ ବୃଦ୍ଧି ପାଇଥିବାରୁ ପର୍ଯ୍ୟାୟକ୍ରମେ ଗେଟ୍ ଖୋଲାଯାଇ ବର୍ତ୍ତମାନ ୧୦ଟି ଗେଟ୍ ଦେଇ ଅତିରିକ୍ତ ବନ୍ୟାଜଳ ମହାନଦୀକୁ ଛଡ଼ାଯାଉଛି।
ନଦୀକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଥିବାବେଳେ ତଳମୁଣ୍ଡର ପରିସ୍ଥିତି ଉପରେ ମଧ୍ୟ ଲଗାତାର ନଜର ରଖାଯାଉଛି।