ନୂଆଦିଲ୍ଲୀ: ବର୍ତ୍ତମାନ ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମୀଙ୍କ ଉପରେ ଆକ୍ରମଣ ହେବାର ଖବର ଆସୁଛି । ଡାକ୍ତରଠାରୁ ଆରମ୍ଭ କରି ନର୍ସ ଯାଏ ରୋଗୀଙ୍କ ସମ୍ପର୍କୀୟଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଆଧାରରେ ବିଶ୍ୱ ସ୍ତରରେ ପ୍ରାୟ ୪୦ ପ୍ରତିଶତ ସ୍ୱାସ୍ଥ୍ୟ ସେବା ସହିତ ଜଡ଼ିତ କର୍ମଚାରୀ ହିଂସାର ସମ୍ମୁଖୀନ ହେଉଛି ।
ତେବେ ଏହି ସମସ୍ୟା କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ବିଦ୍ୟମାନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏବଂ ଆନ୍ତର୍ଜାତୀୟ ଗବେଷଣା ପତ୍ର ଅନୁଯାୟୀ, ଡାକ୍ତର ଏବଂ ସ୍ୱାସ୍ଥ୍ୟସେବା କର୍ମୀଙ୍କ ବିରୁଦ୍ଧରେ ହିଂସା କେବଳ ଭାରତରେ ନୁହେଁ, ବରଂ ବିଶ୍ୱ ସ୍ତରରେ ଏକ ପ୍ରମୁଖ ଚିନ୍ତାର ବିଷୟ ପାଲଟିଛି । ହୁ ରିପୋର୍ଟ ଆଧାରରେ ବିଶ୍ୱ ସ୍ତରରେ ପ୍ରାୟ ୪୦ ପ୍ରତିଶତ ସ୍ୱାସ୍ଥ୍ୟ ସେବା ସହିତ ଜଡ଼ିତ କର୍ମଚାରୀ ହିଂସାର ସମ୍ମୁଖୀନ ହେଉଛି । ଅର୍ଥାତ ପ୍ରତି ୧୦ ଜଣରେ ୪ ଜଣ ସ୍ୱାସ୍ଥ୍ୟକର୍ମୀ ହିଂସାର ଶିକାର ହେଉଛନ୍ତି । ଯଦି ଦୁର୍ବ୍ୟବହାର ଏବଂ ଅପମାନକୁ ସାମିଲ କରାଯାଏ, ତେବେ ଏହି ସଂଖ୍ୟା ୬୦ ପ୍ରତିଶତରୁ ଅଧିକ ହୋଇଯାଏ। ଆଉ ଭାରତରେ ୭୭.୩ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ଘଟଣା ରିପୋର୍ଟ କରାଯାଇଛି । ଗୋଟିଏ ବର୍ଷରେ ଦେଶରେ ଏପରି ୧୦୦ରୁ ଉର୍ଦ୍ଧ୍ୱ ମାମଲା ସାମ୍ନାକୁ ଆସିଥିବା ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ରିପୋର୍ଟ ଦେଇଛି । ସ୍ପାନିସ୍ ମେଡିକାଲ୍ ଜର୍ନାଲ ଅନୁଯାୟୀ, ଜର୍ମାନୀରେ ୯୧%, ଚୀନ୍ରେ ୯୦%, ପେରୁରେ ୮୪.୫%, ତୁର୍କୀରେ ୮୪% ଏବଂ ଭାରତରେ ୭୭.୩% ହାରରେ ଡାକ୍ତରଙ୍କ ଉପରେ ଆକ୍ରମଣ ଘଟଣା ରିପୋର୍ଟ କରାଯାଇଛି ।
ବିଶେଷଜ୍ଞମାନେ ଏଥିପାଇଁ ବିଭିନ୍ନ କାରଣ ଦର୍ଶାଇଛନ୍ତି । ହସ୍ପିଟାଲ୍ରେ ମାତ୍ରାଧିକ ରୋଗୀଙ୍କ ଭିଡ଼, କର୍ମଚାରୀ ଅଭାବ, ଚିକିତ୍ସା ପାଇଁ ଦୀର୍ଘ ସମୟ ଅପେକ୍ଷା, ଡାକ୍ତର ଓ ସମ୍ପର୍କୀୟଙ୍କ ମଧ୍ୟରେ ସମନ୍ୱୟର ଅଭାବ ଏବଂ ରୋଗୀ କିମ୍ବା ସେମାନଙ୍କ ପରିବାର ଧୈର୍ଯ୍ୟ ହରାଇବା ଭଳି ପ୍ରମୁଖ କାରଣ ଅନ୍ତର୍ଭୁକ୍ତ ଅଟେ । ଆଉ ସମସ୍ତଙ୍କ ମନରେ ଗୋଟିଏ ଆଶା ଥାଏ ଯେ ଡାକ୍ତରଖାନା ଆସିଛନ୍ତି ଏବଂ ଟଙ୍କା ଖର୍ଚ୍ଚ କରୁଛନ୍ତି ଅର୍ଥାତ୍ ରୋଗୀ ଶତ ପ୍ରତିଶତ ସୁସ୍ଥ ହେବା ଦରକାର । ଏଥିପାଇଁ କଠୋର ଆଇନର ପ୍ରାବଧାନ ନ ଥିବାରୁ ଏହି ସଂଖ୍ୟା ବଢ଼ୁଛି ।
ତେବେ ଭାରତର 19ଟି ରାଜ୍ୟ ସ୍ୱାସ୍ଥ୍ୟସେବା କର୍ମୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିଛନ୍ତି । କିନ୍ତୁ ଏହି ଆଇନ ଆକ୍ରମଣ ରୋକିବାରେ ବିଫଳ ହୋଇଛି । ଆଇନ ରହିଛି ମାତ୍ର ଦଣ୍ଡବିଧାନ ବ୍ୟବସ୍ଥା ଅତ୍ୟନ୍ତ କୋହଳ ରହିଛି । ଶତାଧିକ ମାମଲା ମଧ୍ୟରୁ ମାତ୍ର ହାତ ଗଣତି କେତୋଟି ମାମଲାରେ ଦୋଷୀଙ୍କୁ ଦଣ୍ଡ ମିଳୁଥିବା ଦେଖାଯାଉଛି । ସେଥିପାଇଁ ମହାରାଷ୍ଟ୍ର ମେଡିକାଲ୍ କାଉନସିଲର ପୂର୍ବତନ ସଦସ୍ୟ ଡାକ୍ତର ସୁହାସ ପିଙ୍ଗଲେ ଭାରତରେ ଏକ ଦୃଢ଼ କେନ୍ଦ୍ରୀୟ ଆଇନର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଲୋକ ଲୋଚନକୁ ଆଣିଛନ୍ତି । ପିଙ୍ଗଲେ କହିଛନ୍ତି ଯେ ସ୍ୱାସ୍ଥ୍ୟସେବା ବଜେଟ୍ ମୋଟ ବଜେଟର କେବଳ ୨% ଅଟେ ।
କିନ୍ତୁ ଅନ୍ୟ ଦେଶ ମାନଙ୍କରେ କଠୋର ଦଣ୍ଡବିଧାନ ବ୍ୟବସ୍ଥା ଯୋଗୁଁ ଏଭଳି ଆକ୍ରମଣ ହ୍ରାସ ପାଇଛି । ସ୍ପେନ ଓ ସିଙ୍ଗାପୁରରେ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯାଇଛି । ସ୍ପେନ୍ ସରକାର ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣକୁ "ରାଜ୍ୟ ବିରୁଦ୍ଧରେ ଅପରାଧ" ଘୋଷଣା କରିଛି । ଯାହା ଫଳରେ ସ୍ପେନରେ ଏପରି ଘଟଣାରେ ୫୦% ହ୍ରାସ ଘଟିଛି। ସେହିପରି ସିଙ୍ଗାପୁରରେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟସେବା କର୍ମୀଙ୍କ ପ୍ରତି ଦୁର୍ବ୍ୟବହାର ପାଇଁ ୫,୦୦୦ ସିଙ୍ଗାପୁର ଡଲାର ଜରିମାନା ଦେବାକୁ ପଡ଼ିବ ଏବଂ ଏକ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ କିମ୍ବା ଉଭୟ ରହିଛି ।