ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଯୁବକ ଓ ଛାତ୍ରମାନଙ୍କ ଦ୍ୱାରା ଚାଲିଥିବା ‘କାକରୋଚ୍ ଜନତା ପାର୍ଟି’ (CJP)ର ଆନ୍ଦୋଳନ ଏବେ ଏକ ବଡ଼ ରାଜନୈତିକ ସଂକଟର ରୂପ ନେଇଛି। ଦୀର୍ଘ ଦିନର ଗତିରୋଧ ପରେ ଏବେ କେନ୍ଦ୍ର ସରକାର ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପାଇଁ ବାଟ ଫିଟାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ସିଜେପି ପ୍ରତିନିଧିଙ୍କ ସହ ବୈଠକ କରିବା ପରେ, ଏବେ ଅନ୍ୟ ଜଣେ କେନ୍ଦ୍ରମନ୍ତ୍ରୀ ମଧ୍ୟ ଆନ୍ଦୋଳନକାରୀ ନେତାଙ୍କୁ ଭେଟିବାକୁ ଯାଉଥିବା ସୂଚନା ମିଳିଛି।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ଙ୍କ ପ୍ରମୁଖ ଦାବି ଉପରେ ଚର୍ଚ୍ଚା ହୋଇଥିଲା। ଚାଲିଥିବା ଛାତ୍ର ଆନ୍ଦୋଳନ, ପରୀକ୍ଷା ପରିଚାଳନା ବିଭ୍ରାଟ ଓ ଯୁବବର୍ଗଙ୍କ ସମସ୍ୟା ଉପରେ ଆସନ୍ତା ସଂସଦ ଅଧିବେଶନରେ ଚର୍ଚ୍ଚା କରାଇବାକୁ ସରକାର ଆଂଶିକ ସମ୍ମତି ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଆଲୋଚନାର ଦ୍ୱାର ସଦାସର୍ବଦା ଖୋଲା ଅଛି ଏବଂ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ସମସ୍ତ ସମସ୍ୟାର ସମାଧାନ କରାଯାଇପାରିବ।
CJPର ବୃଦ୍ଧି ପାଉଥିବା ବିକ୍ଷୋଭ ଏବଂ ବିରୋଧୀ ଦଳଗୁଡ଼ିକର ସମର୍ଥନକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି। ପଶ୍ଚିମବଙ୍ଗରୁ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (CRPF)ର ୨୦ଟି ଅତିରିକ୍ତ କମ୍ପାନୀ ସୁରକ୍ଷା କର୍ମୀଙ୍କୁ ତୁରନ୍ତ ଦିଲ୍ଲୀରେ ମୋତାୟନ କରିବାକୁ କେନ୍ଦ୍ର ଆବଶ୍ୟକ ନିର୍ଦ୍ଦେଶ ଦେଇଛି। ଜନ୍ତର ମନ୍ତର ଓ ପାର୍ଲାମେଣ୍ଟ ଆଖପାଖ ଅଞ୍ଚଳରେ ପୋଲିସ ବ୍ୟାରିକେଡିଂ ସହ ଫ୍ଲାଗମାର୍ଚ୍ଚ ଜାରି ରହିଛି।
CJP ପ୍ରବକ୍ତା ଆଶୁତୋଷ ରଙ୍କାଙ୍କ କହିବା ଅନୁଯାୟୀ, ଏହି ଆନ୍ଦୋଳନ ଏବେ ଆହୁରି ବ୍ୟାପକ ହୋଇସାରିଛି। ଆନ୍ଦୋଳନକାରୀଙ୍କ ଚାରୋଟି ସ୍ପଷ୍ଟ ଦାବି ରହିଛି— କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା, ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ଙ୍କୁ ସମ୍ପୂର୍ଣ୍ଣ ମୁକ୍ତ କରାଯାଉ, ପରୀକ୍ଷା ଅନିୟମିତତା ହେତୁ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ଏବଂ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା କୌଣସି ଛାତ୍ରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କିମ୍ବା FIR ରୁଜୁ ନକରାଯାଉ। ସରକାରଙ୍କ ଏହି ସକାରାତ୍ମକ ଆଭିମୁଖ୍ୟ ପରେ ଏହି ସଙ୍କଟ ସମାଧାନ ଆଡ଼କୁ ଗତି କରୁଛି କି ନାହିଁ, ତାହା ଆଗାମୀ ବୈଠକ ପରେ ସ୍ପଷ୍ଟ ହେବ।
Also Read: ସଫଦରଜଙ୍ଗରୁ ମେଦାନ୍ତ ସ୍ଥାନାନ୍ତର ହେଲେ ସୋନମ ୱାଙ୍ଗଚୁକ୍, କିଏ ବହନ କରିବ ଚିକିତ୍ସା ଖର୍ଚ୍ଚ ?