ଝାରସୁଗୁଡ଼ା: ଝାରସୁଗୁଡ଼ା ସହରର ଭୟାବହ ଅଗ୍ନିକାଣ୍ଡ ହୋଇଛି । ବୁଧବାର ମନମୋହନ ପଡ଼ିଆ ନିକଟରେ ଥିବା ଶଙ୍କର ଜୁଏଲେରୀ ଓ ଭି-ମାର୍ଟରେ ସକାଳୁ ଅଗ୍ନିକାଣ୍ଡ ଘଟିଛି। ହଠାତ୍ ନିଆଁ ଲାଗିବା ପରେ ଦୁଇଟି ବ୍ୟବସାୟ ପ୍ରତିଷ୍ଠାନରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଛି ।
ଆଜି ସକାଳେ ହଠାତ୍ ସପିଂ ମଲରେ ହଠାତ ନିଆଁ ଲାଗିଥିଲା । ତଳ ଏବଂ ଉପର ମହଲାରେ ନିଆଁ ବ୍ୟାପିଥିଲା । ଖବର ପାଇ ଝାରସୁଗୁଡ଼ା ଅଗ୍ନିଶମ ବିଭାଗର ତିନୋଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ନିଆଁର ପ୍ରକୋପ ଏତେ ଥିଲା ଯେ ନିଆଁ ଲିଭାଇବାକୁ ଦମକଳ ବାହିନୀ ନାକେଦମ ହୋଇଯାଇଛନ୍ତି । ଖବର ଲେଖା ହେବା ବେଳକୁ ନିଆଁ ଲିଭା ଉଦ୍ୟମ ଜାରି ରହିଥିଲା । ଭି-ମାର୍ଟରେ ଅନେକ କପଡ଼ା ଥିବାରୁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିଛି । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ପ୍ରାଥମିକ ଭାବେ ବ୍ୟାପକ ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି।