ପୁରୀ: ଜନ୍ମବେଦୀରେ ମହାପ୍ରଭୁଙ୍କ ଲୀଳାଖେଳା ସରିଆସୁଛି । ଶ୍ରୀମନ୍ଦିରକୁ ବାହୁଡ଼ିବେ ତିନି ଠାକୁର । ଶ୍ରୀଗୁଣ୍ଡିଚା ମନ୍ଦିରରେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବୁଧବାର ସକାଳୁ ପୁଣି ଦୁଇ ରଥର ଦକ୍ଷିଣମୋଡ଼ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତକାଲି ପ୍ରଥମ ଦିନରେ କେବଳ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ମୋଡ଼ ପରିବର୍ତ୍ତନ କରାଯାଇଥିବାବେଳେ ଦ୍ୱିତୀୟ ଦିନରେ ତାଳଧ୍ୱଜ ଏବଂ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯାଇଛି ।
ଆଜି ପ୍ରଥମେ ଶରଧାବାଲିରେ ଦଣ୍ଡାୟମାନ ତାଳଧ୍ୱଜ ରଥର ଦକ୍ଷିଣ ମୋଡ଼ କରାଯାଇଥିଲା । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ, ପୋଲିସ ପ୍ରଶାସନ ଏଥିରେ ସାମିଲ ହୋଇଥିଲେ । ଘଣ୍ଟୁଆ ସେବକଙ୍କ ଘଣ୍ଟ ଘଣ୍ଟା ନାଦରେ ରଥ ଟଣା ଯାଇଥିଲା । ବର୍ଷା ହେଉଥିବାରୁ ଏବଂ ବାଲି ଓଦା ଥିବାରୁ ମୋଡ଼ ବଦଳାଇବା ବହୁତ କଷ୍ଟକର ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା । ଭକ୍ତମାନେ ତାଳଧ୍ୱଜ ରଥକୁ ନାକଚଣା ଦ୍ୱାର ନିକଟକୁ ଆଣିଛନ୍ତି । ଏହା ପରେ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ ହୋଇଛି । ଏହାରି ମଧ୍ୟରେ ଅତ୍ୟନ୍ତ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।
ଗତକାଲି ଦର୍ପଦଳନ ରଥର ମୋଡ଼ ବଦଳାଇ ଶ୍ରୀମନ୍ଦିର ମୁଖା କରାଯାଇଥିଲା । ପ୍ରବଳ ବର୍ଷା ଯୋଗୁଁ ଏବଂ ସନ୍ଧ୍ୟା ହୋଇଯିବାରୁ କେବଳ ଗୋଟିଏ ରଥର ମୋଡ଼ ବଦଳାଇବା ସମ୍ଭବପର ହୋଇପାରିଥିଲା । ନାକଚଣା ଦ୍ୱାର ନିକଟରେ ତିନି ରଥକୁ ଶ୍ରୀମନ୍ଦିର ମୁଖା କରି ରଖାଯିବ । ବାହୁଡ଼ା ଯାତ୍ରାରେ ତିନି ଭାଇ ଭଉଣୀ ନାକଚଣା ଦ୍ୱାର ଦେଇ ପହଣ୍ଡି କରି ରଥାରୂଢ଼ ହେବେ ।