ଭବାନୀପାଟଣା: ଦୁର୍ନୀତି ବିରୋଧରେ ଭିଜିଲାନ୍ସର କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିଛି। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV)ର ପ୍ରିନ୍ସିପାଲ ସୀତାକାନ୍ତ ରଣାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୁଧବାର ଭିଜିଲାନ୍ସ ଟିମ୍ ରେଡହ୍ୟାଣ୍ଡ ଧରିଛି। ଏହି ଘଟଣା ପୁଣିଥରେ ସରକାରୀ ବ୍ୟବସ୍ଥାରେ ଦୁର୍ନୀତିର ଚିତ୍ରକୁ ସାମ୍ନାକୁ ଆଣିଛି।
ସୂଚନା ଅନୁସାରେ, ଏକ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ପକ୍ଷରୁ ବିଦ୍ୟାଳୟର ସଫେଇ କାମ କରାଯାଉଥିଲା। ଚଳିତ ୨୦୨୬–୨୭ ଆର୍ଥିକ ବର୍ଷର ତିନି ମାସର ବକେୟା ବିଲ୍ ମଞ୍ଜୁର କରିବା ପାଇଁ SHG ପ୍ରତିନିଧି ବାରମ୍ବାର ପ୍ରିନ୍ସିପାଲଙ୍କୁ ଅନୁରୋଧ କରୁଥିଲେ। କିନ୍ତୁ ବିଲ୍ ପାସ୍ କରିବା ବଦଳରେ ପ୍ରିନ୍ସିପାଲ ସୀତାକାନ୍ତ ରଣା ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା।
ଲାଞ୍ଚ ଦେବାକୁ ଅନିଚ୍ଛୁକ SHG କର୍ମକର୍ତ୍ତା ଏନେଇ ଓଡ଼ିଶା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଆଧାର କରି ଭିଜିଲାନ୍ସ ଅଧିକାରୀମାନେ ଏକ ସ୍ୱତନ୍ତ୍ର ଫାନ୍ଦ ପକାଇଥିଲେ। ଯୋଜନା ଅନୁଯାୟୀ, ଅଭିଯୋଗକାରୀ ପ୍ରିନ୍ସିପାଲଙ୍କୁ ୧୦ ହଜାର ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଟିମ୍ ସେଠାରେ ଚଢ଼ାଉ କରି ସୀତାକାନ୍ତ ରଣାଙ୍କୁ ହାତେନାତ କାବୁ କରିଥିଲା। ତାଙ୍କ ନିକଟରୁ ଲାଞ୍ଚର ସମସ୍ତ ୧୦ ହଜାର ଟଙ୍କା ଜବତ କରାଯାଇଛି।
ଏହାପରେ ଭିଜିଲାନ୍ସ ପକ୍ଷରୁ ଅଭିଯୁକ୍ତଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ତାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଥିବା ଦିଗକୁ ମଧ୍ୟ ତଦନ୍ତ କରାଯାଉଛି।
ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ କେସ୍ ନଂ–୧୭/୨୦୨୬ ରୁଜୁ କରାଯାଇଛି। ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା–୭ ଅନୁଯାୟୀ ମାମଲା ରଜୁ ହୋଇଥିବାବେଳେ ଘଟଣାର ତଦନ୍ତ ଜାରି ରହିଛି।