ଭୁବନେଶ୍ୱର: ବାହୁଡ଼ା ଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଇନ ଶୃଙ୍ଖଳା ଏବଂ ଭକ୍ତଙ୍କ ସୁରକ୍ଷା ସହିତ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ବୁଧବାର ମୁଖ୍ୟମନ୍ତ୍ରୀ ଲୋକସେବା ଭବନଠାରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଭିଡ ପରିଚାଳନା, ଭକ୍ତଙ୍କ ସୁରକ୍ଷା, ସୂଚନା ପ୍ରଦାନ, ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀ ଭିଡ଼ ପରିଚାଳନା ଓ ସୂଚନା ସଞ୍ଚାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ପ୍ରଶାସନ ଓ ପୋଲିସର ମାର୍ଗଦର୍ଶିକା ପାଳନ କରିବାକୁ ନିବେଦନ ମଧ୍ୟ କରିଛନ୍ତି ।
ବୈଠକରେ ଜଣାପଡ଼ିଛି ଯେ, ରଥଯାତ୍ରା ଠାରୁ ଆଜି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ପ୍ରାୟତଃ ଠିକ୍ ଭାବରେ ପରିଚାଳିତ ହୋଇଛି। ଲଗାଣ ବର୍ଷା, ପ୍ରତିକୂଳ ପାଗ, ଗରମ ଓ ଗୁଳୁଗୁଳି ସତ୍ତ୍ୱେ ଅଧିକାରୀ ଓ କର୍ମଚାରୀ ତଥା ଭକ୍ତମାନଙ୍କ ସେବା ଓ ସମର୍ପଣ କୌଣସି ମାତ୍ରାରେ ପ୍ରଭାବିତ ହୋଇନାହିଁ । ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ପହଣ୍ଡି, ରଥଟଣା, ଦକ୍ଷିଣ ମୋଡ଼, ଆଡ଼ପ ଦର୍ଶନ ବ୍ୟବସ୍ଥା ଉପରେ କଡ଼ା ନଜର ରଖିଛନ୍ତି । ସେବାୟତମାନଙ୍କ ନିଷ୍ଠା ଓ ସମର୍ପଣ ମନୋଭାବର ଉଚ୍ଚ ପ୍ରଶଂସା କରିବା ସହିତ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଟିମ୍ ସ୍ପିରିଟ ନେଇ କାମ କରୁଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।
ସେହିପରି ବୈଠକରେ ଭିଡ ପରିଚାଳନା ଓ ନିରନ୍ତର ସୂଚନା ସଞ୍ଚାର (Information Flow) ଉପରେ ଅଧିକ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଭିଡରେ ଜନଗହଳିକୁ (Crowd Density) ବୈଜ୍ଞାନିକ ପଦ୍ଧତି ଯଥା ସିସିଟିଭିରୁ ମିଳୁଥିବା ସୂଚନାକୁ ଇଣ୍ଟିଗ୍ରେଟେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ବ୍ୟବସ୍ଥା ଜରିଆରେ ସମସ୍ୟା ଥିବା ସ୍ଥାନକୁ ତୁରନ୍ତ ପ୍ରଦାନ କରାଗଲେ, ସମସ୍ୟାର ସମାଧାନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଆଗକୁ ବାହୁଡା ଯାତ୍ରା ସହିତ ମହାପ୍ରଭୁଙ୍କ ସୁନାବେଶ ଓ ନିଳାଦ୍ରୀବିଜେ ଅନୁଷ୍ଠିତ ହେବ। ତେଣୁ, ସମସ୍ତ ନୀତିକାନ୍ତି ଯେପରି ସୁଚାରୁ ରୂପେ ପାଳିତ ହେବ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ରଖିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ।
ରଥଯାତ୍ରାରେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ, ଦୁଇଜଣ ଶ୍ରଦ୍ଧାଳୁଙ୍କ ଜୀବନହାନି ଯୋଗୁ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମୃତ ଶ୍ରଦ୍ଧାଳୁଙ୍କ ପରିବାରବର୍ଗଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବା ପାଇଁ ଘୋଷଣା କରାଯାଇଛି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ ରଥଯାତ୍ରା ପରିଚାଳନା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ, ଅଗ୍ନିଶମ ପୋଲିସ ମହାନିର୍ଦ୍ଦେଶକ ଡଃ ସୁଧାଂଶୁ ଷଡଙ୍ଗୀ, ପୋଲିସ ମଡର୍ଣ୍ଣାଇଜେସନ୍ର ଅତିରିକ୍ତ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ପୋଲିସ ପ୍ରଶାସନର ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।
ବୈଠକରେ ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ମୁଖ୍ୟଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ଶ୍ରୀ ଡି.କେ ସିଂ ପ୍ରମୁଖ ଉପସ୍ଥିତ ରହି ବାହୁଡା ଓ ସୁନାବେଶ ପରିଚାଳନା ସମ୍ପର୍କରେ ମତାମତ ରଖିଥିଲେ।