ନୂଆଦିଲ୍ଲୀ: ନିଟ୍ ପରୀକ୍ଷା ଏବଂ କକ୍ରୋଚ୍ ଜନତା ପାର୍ଟିର ଆନ୍ଦୋଳନ ପାଇଁ ଏବେ ଜାତୀୟ ରାଜଧାନୀଠାରୁ ଆରମ୍ଭ କରି ପ୍ରତି ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହି ସିଜେପିର ଛାତ୍ର ଆନ୍ଦୋଳନରେ ଏବେ ସମସ୍ତ ବିରୋଧୀ ଦଳ ରାଜନୈତିକ ରୁଟି ସେକିବା ଆରମ୍ଭ କରି ଦେଇଛନ୍ତି । କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ପରେ ଏବେ ବିଜେଡ଼ି ମୁହଁ ଖୋଲିଛି । ବିରୋଧୀ ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଘଟଣାକୁ ନିନ୍ଦା କରିବା ପରେ ଜବାବ ରଖିଛି ବିଜେପି । ନବୀନଙ୍କର ଏହା ହୀନ ମାନସିକତାର ପରିଚୟ ବୋଲି କହିଛନ୍ତି ବିଜେପି କଟକ ସାଂସଦ ଭର୍ତ୍ତୃହରି ମହତାବ ।
ଗତକାଲି ନବୀନ ନିଜେ ଦିଲ୍ଲୀ ଗସ୍ତ କରି ଆନ୍ଦୋଳନରତ ଛାତ୍ରଙ୍କୁ ଭେଟିଥିଲେ । ଏହା ପରେ ସେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଥିଲେ । ଆଜି ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାର ସମସ୍ତ ବିଜେପି ସାଂସଦ ଏକାଠି ହୋଇ ନବୀନଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରିଛନ୍ତି । ସାଂସଦ ମହତାବ କହିଛନ୍ତି ଯେ ନବୀନଙ୍କ ମନ୍ତବ୍ୟ ତଥ୍ୟା ଆଧାରିତ ନୁହେଁ । ବିଜେଡ଼ି ଏବଂ ୟୁପିଏ ସରକାର ସମୟରେ ଘଟିଥିବା ଘଟଣାକୁ ସେମାନେ ଭୁଲି ଯାଇଛନ୍ତି । କିନ୍ତୁ ଓଡ଼ିଶାବାସୀ ସେଗୁଡ଼ିକ ସବୁ ଭୁଲି ନାହାଁନ୍ତି । ୨୦୧୫ ମସିହା ପରଠାରୁ ଓଡ଼ିଶାରେ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଅଘଟଣ ଘଟିଆସିଛି । କିନ୍ତୁ ବିଜେଡ଼ି ଯେଉଁ ସିଜେପିକୁ ସମର୍ଥନ କରୁଛନ୍ତି ତାହା ଅତ୍ୟନ୍ତ ନିମ୍ନ ମାନସିକତାର ପରିଚୟ । କକ୍ରୋଚ ଜନତା ପାର୍ଟିର ଅସ୍ଥିତ୍ୱ ଦେଶ ବିରୋଧୀ, ତେଣୁ ଏହାକୁ ବିରୋଧୀ ଦଳ ନେତା ସମର୍ଥନ କରିବା ଅତ୍ୟନ୍ତ ନିନ୍ଦାଜନକ ।
ଭର୍ତ୍ତୃହରି କହିଛନ୍ତି ଯେ ଯେଉଁଭଳି ଭାବରେ ନବୀନ ପଟ୍ଟନାୟକ ଓ ବିଜେଡି କଂଗ୍ରେସ ଓ ସିଜେପିର ଦେଶବିରୋଧୀ ଓ ହିଂସାତ୍ମକ କାର୍ଯ୍ୟକଳାପକୁ ସମର୍ଥନ କରିବାକୁ ଆଗେଇ ଆସିଛନ୍ତି, ତାହା ତାଙ୍କର ନିମ୍ନ ମନୋବୃତ୍ତିକୁ ପରିପ୍ରକାଶ କରୁଛି । ଗଣତନ୍ତ୍ରରେ ଧାରଣା ଦେବା ଓ ମତ ପ୍ରକାଶ କରିବାର ଅଧିକାର ସମସ୍ତଙ୍କର ଅଛି। କିନ୍ତୁ ସୁରକ୍ଷା ବାରିକେଡ୍ ଗୋଟାଏ ପରେ ଗୋଟାଏ ଭାଙ୍ଗି ପାର୍ଲାମେଣ୍ଟ ଭିତରକୁ ଜୋରଜବରଦସ୍ତ ପଶିବାକୁ ଚେଷ୍ଟା କରିବା, ହିଂସାକାଣ୍ଡ ରଚନା କରିବା ଅତ୍ୟନ୍ତ ଦେଶବିରୋଧୀ ଅଟେ। ଘରେ ବସି ଏହି ହିଂସାକାଣ୍ଡକୁ ସମର୍ଥନ କରିବା ପୂର୍ବରୁ ନବୀନ ପଟ୍ଟନାୟକ ପ୍ରଥମେ ସେହି ହିଂସାକାଣ୍ଡକୁ ନିନ୍ଦା କରିବା ଦରକାର ଥିଲା, ଯାହା ସେ କରିନାହାନ୍ତି।
ବିଜେଡିର କିଛି ନେତା କହୁଛନ୍ତି ଯେ "ଆମେ ସି.ଜେ.ପି.କୁ ସମର୍ଥନ କରୁନୁ, ଆନ୍ଦୋଳନକୁ ସମର୍ଥନ କରୁଛୁ।" ଏହା 'ଚଟୁ ଆମିଷ, ବେଣ୍ଟ ନିରାମିଷ' ଭଳି ଦୋମୁହାଁ ନୀତି ଅଟେ। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ବିଜେଡି ନେତାମାନଙ୍କର ସମ୍ପୂର୍ଣ୍ଣ ମତିଭ୍ରମ ଘଟିଛି।
ସମଗ୍ର ଦେଶରେ କମ୍ୟୁନିଷ୍ଟମାନେ ନିଜର ଜନାଦେଶ ହରାଇସାରିଛନ୍ତି । ଓଡ଼ିଶାରେ ମଧ୍ୟ ବିଜେଡି ଖୁବ୍ ଦ୍ରୁତଗତିରେ ନିଜର ଜନାଦେଶ ହରାଉଛି । କୌଣସି ପ୍ରକୃତ ପ୍ରସଙ୍ଗ ନଥିବାରୁ 'ଔଷଧ ରାଗରେ ତାଟିଆ କାମୁଡ଼ିଲା' ଭଳି ଏକ ଅଣ-ପ୍ରସଙ୍ଗକୁ ନେଇ ସେମାନେ ରାଜନୀତି କରୁଛନ୍ତି। ବିଜେଡି ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ଗୃହ କାର୍ଯ୍ୟ ପରିଚାଳନାରେ ସହଯୋଗ କରନ୍ତୁ । ବିଶେଷ କରି ରାଜ୍ୟସଭାରେ ଥିବା ବିଜେଡି ସାଂସଦମାନେ ଗୃହ ଚାଲିବାରେ ସହଯୋଗ କରନ୍ତୁ ବୋଲି ଶ୍ରୀ ମହତାବ ଆହ୍ୱାନ ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦ ସଙ୍ଗୀତା ସିଂହଦେଓ, ଅନିତା ପ୍ରିୟଦର୍ଶିନୀ, ମାଳବିକା ଦେବୀ, ରୁଦ୍ର ନାରାୟଣ ପାଣି, ପ୍ରଦୀପ ପୁରୋହିତ, ଅନନ୍ତ ନାଏକ, ଅଭିମନ୍ୟୁ ସେଠୀ, ରବି ନାରାୟଣ ବେହେରା, ବଳଭଦ୍ର ମାଝୀ, ସୁକାନ୍ତ ପାଣିଗ୍ରାହୀ, ବିଭୂ ପ୍ରସାଦ ତରାଇ, ଉପସ୍ଥିତ ଥିଲେ ।