ଭୁବନେଶ୍ୱର: ଅନ୍ୟ ରାଜ୍ୟ ପରି ଓଡିଶାରେ ମଧ୍ୟ ଶାସକ ବିଜେପିରେ ଜଣେ ପରେ ଜଣେ ନେତା ଓ ଶହ ଶହ କର୍ମୀ ମିଶିବାରେ ଲାଗିଛନ୍ତି । ବିଜେଡିର ଅନେକ ରାଜ୍ୟସଭା ସଦସ୍ୟ ଦଳ ଛାଡି ବିଜେପିରେ ମିଶି ପୁଣି ଥରେ ରାଜ୍ୟସଭା ଗଲେଣି । ନିକଟରେ ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ବହୁ ଆଡମ୍ବର ସହ ପଦ୍ମ ଧରିଛନ୍ତି । ଏହା ମଧ୍ୟରେ ଓଡ଼ିଶା ରାଜନୀତିରେ ପୁଣି ଏକ ବଡ଼ ଧରଣର ଓଲଟପାଲଟ ହେବାକୁ ଯାଉଛି। ବିଜେଡିର ପୂର୍ବତନ ମନ୍ତ୍ରୀ ତଥା ଗଞ୍ଜାମ ରାଜନୀତିର ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ ଖୁବ୍ଶୀଘ୍ର ପଦ୍ମ ଶିବିରରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ବିଶେଷ କରି ତାଙ୍କ ନିଜ ଜିଲ୍ଲାର ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏଭଳି ଏକ ବଡ଼ ଇସାରା ଦେବା ପରେ ଏହି ସଂକ୍ରାନ୍ତୀୟ ରାଜନୈତିକ କଳ୍ପନାଜଳ୍ପନା ଆହୁରି ତେଜିଯାଇଛି।
ଏହି ବିଷୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ, ଯଦି କୌଣସି ଜଣେ ବି ସାଧାରଣ କାର୍ଯ୍ୟକର୍ତ୍ତା ଦଳକୁ ଆସନ୍ତି, ତେବେ ସଂଗଠନ ଆହୁରି ସୁଦୃଢ଼ ହୋଇଥାଏ। ବିକ୍ରମ ଆରୁଖଙ୍କ ଭଳି ଜଣେ ପ୍ରଭାବଶାଳୀ ନେତା ଯଦି ନିଜର ବିପୁଳ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୁଅନ୍ତି, ତେବେ ଗଞ୍ଜାମ ଜିଲ୍ଲାରେ ଦଳର କଳେବର ଓ ଶକ୍ତି ଯଥେଷ୍ଟ ବୃଦ୍ଧି ପାଇବ। ଗତ ସାଧାରଣ ନିର୍ବାଚନରେ ଗଞ୍ଜାମବାସୀ ବିଜେପିକୁ ଭରପୂର ଆଶୀର୍ବାଦ ଦେଇ ଜିଲ୍ଲାର ୧୩ଟି ବିଧାନସଭା ଆସନରୁ ୧୧ଟିରେ ବିଜୟୀ କରାଇଛନ୍ତି। ଆଗାମୀ ଦିନରେ ଦଳ ଏଠାରେ ୧୩ରୁ ୧୩ଟି ଯାକ ଆସନ ଜିତିବାକୁ ଲକ୍ଷ୍ୟ ରଖିଛି।
ମନ୍ତ୍ରୀ ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ବର୍ତ୍ତମାନ ବିଜେଡି ଭିତରେ ଅନେକ ନେତା ଅସନ୍ତୁଷ୍ଟ ଅଛନ୍ତି, ମାତ୍ର ସେମାନେ ପ୍ରକାଶ କରିପାରୁନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭିମୁଖ୍ୟ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ‘ବିକଶିତ ଓଡ଼ିଶା’ ଗଠନର ସଂକଳ୍ପ ନେଇ ବହୁ ନେତା ବିଜେପି ଆଡ଼କୁ ଆକୃଷ୍ଟ ହେଉଛନ୍ତି। କେବଳ ବିଜେଡି ନୁହେଁ, ବରଂ କଂଗ୍ରେସ ଦଳରୁ ମଧ୍ୟ ଅନେକ ପ୍ରମୁଖ ନେତା ବିଜେପି ସହ ଯୋଗାଯୋଗରେ ଥିବା ସେ ପ୍ରକାଶ କରିଛନ୍ତି। ଯଦି ଏହି ମିଶ୍ରଣ ପର୍ବ ସଫଳ ହୁଏ, ତେବେ ଆଗାମୀ ଦିନରେ ଗଞ୍ଜାମ ସମେତ ସମଗ୍ର ଓଡ଼ିଶା ରାଜନୀତିରେ ବିଜେଡିକୁ ଏକ ବଡ଼ ଝଟ୍କା ଲାଗିବା ନିଶ୍ଚିତ।
Also Read: ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ; ନିଟ୍ ଏବଂ ରାମ ମନ୍ଦିର ଦାନ ଚୋରି ହୋଇପାରେ ପ୍ରସଙ୍ଗ