ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲାର ଲୋରନ ଅଞ୍ଚଳରେ ଭୂସ୍ଖଳନରେ ଗୋଟିଏ ପରିବାର ନିଶ୍ଚିନ୍ନ ହୋଇଯାଇଛି । ବାଦଲ ଫଟା ବର୍ଷାରେ ଭୂସ୍ଖଳନ ହେବାରୁ ଗୋଟିଏ ପରିବାର ୭ ଜଣଙ୍କର ମୃତ୍ୟୁ ହୋଇଛି । ଯେଉଁଥିରେ ୪ ଜଣ ମହିଳା ରହିଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷାରେ ଘଟିଥିବା ବିଭିନ୍ନ ଅଘଟଣରେ ରାଜୌରୀ ଏବଂ ପୁଞ୍ଚ ଜିଲ୍ଲାରେ ୨୨ ଜଣ ପ୍ରାଣ ହରାଇଛନ୍ତି । ରାଜୌରୀ-ପୁଞ୍ଚ ଅଞ୍ଚଳରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ହୋଇଥିବା ତାଣ୍ଡବରେ ଏଯାବତ ମୃତ୍ୟୁ ସଂଖ୍ୟା ଏବେ ୨୭ରେ ପହଞ୍ଚିଛି।
ଗତକାଲି ରାତିରେ ପ୍ରବଳ ବର୍ଷା ହୋଇଥିଲା । ଏହି ସମୟରେ ହଠାତ୍ ଭୂସ୍ଖଳନ ହୋଇଥିଲା । କେହି କିଛି ବୁଝିବ ପୂର୍ବରୁ ଘର ତଳେ ପୁରା ପରିବାର ଚାପି ହୋଇଯାଇଥିଲା । ସମଗ୍ର ଅଞ୍ଚଳର ଶୋକର ଛାୟା ପାଲଟିଛି। ଭୀଷଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।
ପୂର୍ବତନ ବିଜେପି ରାଜ୍ୟ ସଭାପତି ରବିନ୍ଦର ରୈନା ମଧ୍ୟ ସୋସିଆଲ ମିଡିଆ ହ୍ୟାଣ୍ଡେଲ 'ଢ' ରେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ପ୍ରଶାସନ ଜନସାଧାରଣଙ୍କୁ ନଦୀ, ଝରଣା ଏବଂ ଭୂସ୍ଖଳନ ପ୍ରବଣ ଅଞ୍ଚଳ ନିକଟରେ ନ ଯିବାକୁ ନିବେଦନ କରିଛି। ପାଣିପାଗ ବିଭାଗ ଆଗାମୀ କିଛି ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ।