ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର-ମନ୍ତରଠାରେ କାକରୋଚ୍ ଜନତା ପାର୍ଟି (CJP) ର ଜୋରଦାର ପ୍ରଦର୍ଶନ ଏବଂ ସଂସଦ ଘେରାଉ ଅଭିଯାନ ମଧ୍ୟରେ ଚର୍ଚ୍ଚିତ ପରିବେଶବିତ୍ ସୋନମ୍ ୱାଙ୍ଗଚୁକ୍ଙ୍କ ବଡ଼ ବ୍ୟକ୍ତବ୍ୟ ସାମ୍ନାକୁ ଆସିଛି। ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିବା ସତ୍ତ୍ୱେ ସେ ନିଜର ଆମରଣ ଅନଶନ ଜାରି ରଖିବେ ବୋଲି ନିଜ ସୋସିଆଲ ମିଡିଆ ଆକାଉଣ୍ଟ (X) ମାଧ୍ୟମରେ ସ୍ପଷ୍ଟ କରିଛନ୍ତି।
ସୋନମ୍ ୱାଙ୍ଗଚୁକ୍ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଯୁବକମାନଙ୍କ ସହ ସରକାର ଓ ପୁଲିସ ଯେଉଁଭଳି ନିଷ୍ଠୁର ବ୍ୟବହାର କରିଛନ୍ତି, ତାହା ଅତ୍ୟନ୍ତ ଦୁଃଖଦାୟକ। ଯେପର୍ଯ୍ୟନ୍ତ ଏହି ଯୁବ ନେତାମାନଙ୍କୁ ସଂସଦ ଭବନରେ ସାଂସଦମାନଙ୍କୁ ଭେଟିବା ପାଇଁ ଅନୁମତି ମିଳିନାହିଁ, ସେପର୍ଯ୍ୟନ୍ତ ସେ ନିଜର ଅନଶନ ବନ୍ଦ କରିବେ ନାହିଁ। ଏହାସହ ଶିକ୍ଷାମନ୍ତ୍ରୀଙ୍କ ଉତ୍ତରଦାୟୀ ନିଶ୍ଚିତ କରିବାକୁ ସେ ଦାବି କରିଛନ୍ତି।
ଯୁବକଙ୍କ ଧୈର୍ଯ୍ୟକୁ ପ୍ରଶଂସା, ସରକାରଙ୍କୁ ନିବେଦନ
ୱାଙ୍ଗଚୁକ୍ କହିଛନ୍ତି ଯେ, ପୁଲିସ୍ର ପ୍ରରୋଚନା ଓ କଠୋରତା ସତ୍ତ୍ୱେ ଯୁବକମାନେ ଯେଉଁଭଳି ଶାନ୍ତି ବଜାୟ ରଖିଛନ୍ତି, ତାହା ପ୍ରଶଂସନୀୟ। ସରକାର ଏବଂ ଦିଲ୍ଲୀ ପୁଲିସ୍ ତୁରନ୍ତ ଛାତ୍ର ଓ ଯୁବକମାନଙ୍କୁ ସଂସଦ ଆଗରେ ନିଜ ସମସ୍ୟା ଉପସ୍ଥାପନ କରିବାକୁ ସୁଯୋଗ ଦେଇ ଏହି ସଂକଟର ସମାଧାନ କରନ୍ତୁ ବୋଲି ସେ ଆକୁଳ ନିବେଦନ କରିଛନ୍ତି।
ଜନ୍ତର-ମନ୍ତରରେ ପୁଲିସ୍ର ଲାଠିଚାର୍ଜ ଓ ଉତ୍ତେଜନା
ଅନ୍ୟପଟେ, CJP ର ସଂସଦ ମାର୍ଚ୍ଚକୁ ରୋକିବା ପାଇଁ ଦିଲ୍ଲୀ ପୁଲିସ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବିକ୍ଷୋଭକାରୀମାନେ ବ୍ୟାରିକେଡ୍ ଭାଙ୍ଗି ସଂସଦ ଅଭିମୁଖେ ବଢ଼ିବାକୁ ଚେଷ୍ଟା କରିବାରୁ ପୁଲିସ୍ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ପୁଲିସ୍ ବଳପ୍ରୟୋଗ କରିବା ସହ ଲାଠିଚାର୍ଜ କରିଥିବା ଖବର ମଧ୍ୟ ସାମ୍ନାକୁ ଆସିଛି।