ନୂଆଦିଲ୍ଲୀ: ସଂସଦର ଆଗାମୀ ମୌସୁମୀ ଅଧିବେଶନ ପୂର୍ବରୁ ଦେଶର ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ନିଜର ରଣନୀତି ସ୍ପଷ୍ଟ କରିଦେଇଛି। ଦଳର ସଂସଦୀୟ ରଣନୀତି କମିଟିର ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ କଂଗ୍ରେସ ଏକ ବଡ଼ ଘୋଷଣା କରିଛି। କେନ୍ଦ୍ର ସରକାର ଆଣିବାକୁ ଥିବା କେତେକ ପ୍ରମୁଖ ବିଲ୍କୁ କଂଗ୍ରେସ ସଂସଦରେ ସମ୍ପୂର୍ଣ୍ଣ ବିରୋଧ କରିବ ବୋଲି ସୂଚନା ଦେଇଛି। ବିଶେଷ କରି ସୀମା ନିର୍ଦ୍ଧାରଣ, ସମ୍ବିଧାନ ସଂଶୋଧନ ଏବଂ 'ୱାନ ନେସନ, ୱାନ ଇଲେକ୍ସନ' ଭଳି ପ୍ରସ୍ତାବ ଉପରେ ଦଳ ଆରପାର ଲଢ଼େଇ ମୁଡ୍ରେ ଥିବା ଜଣାପଡ଼ିଛି।
ବୈଠକ ପରେ ଜୟରାମ ରମେଶଙ୍କ ବଡ଼ ବୟାନ
କଂଗ୍ରେସ କମିଟି ବୈଠକ ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ଏବଂ ସାଂସଦ ନାସିର ହୁସେନ ସରକାରଙ୍କ ଉପରେ ବର୍ଷିଛନ୍ତି। ଜୟରାମ ରମେଶ ଅଭିଯୋଗ କରିଛନ୍ତି ଯେ, ସରକାର ଚାଲାକି କରି ଏପର୍ଯ୍ୟନ୍ତ କେଉଁ କେଉଁ ବିଲ୍ ସଂସଦରେ ଆସିବ, ସେନେଇ କୌଣସି ଆନୁଷ୍ଠାନିକ ସୂଚନା ଦେଇନାହାନ୍ତି। ତେଣୁ ସମ୍ଭାବ୍ୟ ବିଲ୍ଗୁଡ଼ିକୁ ନେଇ କଂଗ୍ରେସ ନିଜର ରଣନୀତି ପ୍ରସ୍ତୁତ କରିଛି। ଜୁଲାଇ ୧୯ରେ ହେବାକୁ ଥିବା ସର୍ବଦଳୀୟ ବୈଠକରେ ଦଳ ଏବାବଦରେ ସରକାରଙ୍କୁ ଜବାବ ମାଗିବ। ଏହାସହ ନୀଟ୍ ବିବାଦକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରାଯିବ ବୋଲି ସେ କହିଛନ୍ତି।
କେଉଁ ସବୁ ପ୍ରସ୍ତାବକୁ ବିରୋଧ କରିବ କଂଗ୍ରେସ ?
କଂଗ୍ରେସ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ଦଳ ସୀମା ନିର୍ଦ୍ଧାରଣ ଓ ସମ୍ବିଧାନ ସଂଶୋଧନ ୱାନ ନେସନ, ୱାନ ଇଲେକ୍ସନ FCRA ଏବଂ ଖାଦ୍ୟ ସୁରକ୍ଷା ଆଇନରେ ସଂଶୋଧନ, ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନ (FCRA) ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ, ୨୦୧୩ ରେ ସରକାର ଆଣିବାକୁ ଥିବା ବଦଳକୁ ମଧ୍ୟ କଂଗ୍ରେସ ବିରୋଧ କରିବ। ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା ଏହି ଆଇନ ଉପରେ ଆଧାରିତ ହୋଇଥିବାରୁ ଏଥିରେ ପରିବର୍ତ୍ତନ ଗ୍ରହଣଯୋଗ୍ୟ ନୁହେଁ ବୋଲି ଦଳ କହିଛି।
ସର୍ବଦଳୀୟ ବୈଠକ କେବଳ ଏକ ଔପଚାରିକତା !
ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ କହିଛି ଯେ, ସର୍ବଦଳୀୟ ବୈଠକ ଏବେ କେବଳ ଏକ ପ୍ରହସନ ବା ଔପଚାରିକତାରେ ପରିଣତ ହେଲାଣି। ବୈଠକରେ ବିରୋଧୀ ନେତାମାନେ ନିଜର ମତ ରଖୁଥିଲେ ମଧ୍ୟ ସରକାର ସେମାନଙ୍କ କଥାକୁ ଗମ୍ଭୀରତାର ସହ ନେଉନାହାନ୍ତି ଏବଂ ମୁଷ୍ଟିମେୟ କିଛି ଲୋକ ହିଁ ସମସ୍ତ ନିଷ୍ପତ୍ତି ନେଉଛନ୍ତି। ଏହି ମୌସୁମୀ ଅଧିବେଶନରେ ବିରୋଧୀ ଦଳ ସରକାରଙ୍କୁ ସହଜରେ ଛାଡ଼ିବେ ନାହିଁ ବୋଲି କଂଗ୍ରେସ ନେତାମାନେ ଚେତାବନୀ ଦେଇଛନ୍ତି।