ପାଟନା: ବିହାର ବାଙ୍କୀପୁର ଉପନିର୍ବାଚନରୁ ଅଭିଷେକ କୁମାର ନିଜ ନାମ ପ୍ରତ୍ୟାହାର କରିବା ପରେ ବିଜେପି ଆଉ ଜଣଙ୍କ ନାମ ତୁରନ୍ତ ଘୋଷଣା କରିଛି । ଦଳର ଆଉ ସାଧାରଣ କର୍ମୀ ନୀରଜ କୁମାର ସିହ୍ନାଙ୍କୁ ଦଳ ମଇଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି । ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ କୁମାର ସିଂହ ନୀରଜଙ୍କ ନାମ ସାନି ବିଜ୍ଞପ୍ତି ଜାରି କରି ଘୋଷଣା କରିଛନ୍ତି ।
ବିଜେପି ଅଭିଷେକ କୁମାର ସିହ୍ନା ବଣ୍ଟିଙ୍କୁ ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ ସେ ଗତକାଲି ନାମାଙ୍କନ ଭରିଥିଲେ । ହେଲେ ହଠାତ୍ ଆଜି ଅଭିଷେକ ନିର୍ବାଚନରୁ ଓହରିଯାଇଥିଲେ । ପାରିବାରିକ ସମସ୍ୟା ଦର୍ଶାଇ ବିଜେପି ରାଜ୍ୟ ସଭାପତି ସଞ୍ଜୟ ସରାବଗୀଙ୍କୁ ଚିଠି ଲେଖି ଜଣାଇଥିଲେ । ସେ ଆଗାମୀ ଦିନରେ ନିର୍ବାଚନ ଲଢ଼ିବେ ନାହିଁ କିନ୍ତୁ ଜଣେ କାର୍ଯ୍ୟକର୍ତ୍ତାଭାବେ ଦଳ ପାଇଁ କାମ କରିବେ ବୋଲି କହିଛନ୍ତି ।
ସେପଟେ ବାଙ୍କୀପୁର ଉପନିର୍ବାଚନ ପାଇଁ ଆରଜେଡ଼ି ରେଖା ଗୁପ୍ତା ଏବଂ ଜନ ସୁରାଜ ପାର୍ଟୀ ପକ୍ଷରୁ ନିଜେ ପ୍ରଶାନ୍ତ କିଶୋର ପ୍ରାର୍ଥୀ ହୋଇଥିଲେ । ଦୁଇ ଜଣ ଦକ୍ଷ ରାଜନେତାଙ୍କ ସାମ୍ନାରେ ବିଜେପି ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ଅଭିଷେକଙ୍କୁ ପ୍ରାର୍ଥୀ କରିଥିଲା ।
ନାମାଙ୍କନ ଦାଖଲ କରିବାର ଶେଷ ତାରିଖ 13 ଜୁଲାଇ ଯାଏ ରହିଛି । ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ୧୪ ଜୁଲାଇରେ ହେବାକୁ ଥିବାବେଳେ ୧୬ ଜୁଲାଇରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ରହିବ । ଏହା ପରେ ୩୦ ଜୁଲାଇ ସକାଳ ୭ଟାରୁ ମତଦାନ ଆରମ୍ଭ ହେବ । ଅଗଷ୍ଟ ୩ ତାରିଖରେ ଫଳାଫଳ ଘୋଷଣା କରାଯିବ।
ଅଧିକ ପଢ଼ନ୍ତୁ:- ବାଙ୍କୀପୁର ଉପନିର୍ବାଚନରୁ ଓହରିଲେ ବିଜେପି ପ୍ରାର୍ଥୀ ଅଭିଷେକ କୁମାର