ପାଟନା: ବିହାର ବିଧାନସଭାରେ ଖାଲିଥିବା ବାଙ୍କୀପୁର ଆସନ ଉପନିର୍ବାଚନ ପାଇଁ ବିଗୁଲ ବାଜି ସାରିଥିବାବେଳେ ତିନି ପ୍ରମୁଖ ଦଳ ବିଜେପି, ଆରଜେଡ଼ି ଏବଂ ଜନ ସ୍ୱରାଜ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ମାତ୍ର ବିଜେପି ଆରମ୍ଭରୁ ଝୁଣ୍ଟିଛି । ବିଜେପି ପ୍ରତ୍ୟାଶୀ ଅଭିଷେକ କୁମାର ସିହ୍ନା ବଣ୍ଟି ନିର୍ବାଚନ ନ ଲଢ଼ିବାକୁ ଘୋଷଣା କରିଛନ୍ତି । ଶୁକ୍ରବାର ଦିନ ଅଭିଷେକ କୁମାର ନିଜର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିନେଇଛନ୍ତି ।
ଅଭିଷେକ କୁମାର ବିଜେପି ରାଜ୍ୟ ସଭାପତି ସଞ୍ଜୟ ସରାବଗୀଙ୍କୁ ଚିଠି ଲେଖି ମଧ୍ୟ ଜଣାଇଦେଇଛନ୍ତି । ସେ କହିଛନ୍ତି ଯେ ନିର୍ବାଚନ ଲଢ଼ିବେ ନାହିଁ କିନ୍ତୁ ଜଣେ କାର୍ଯ୍ୟକର୍ତ୍ତାଭାବେ ଦଳ ପାଇଁ କାମ କରିବେ ।
ବାଙ୍କୀପୁର ଉପନିର୍ବାଚନ ପାଇଁ ଆରଜେଡ଼ି ରେଖା ଗୁପ୍ତା ଏବଂ ଜନ ସୁରାଜ ପାର୍ଟୀ ପକ୍ଷରୁ ନିଜେ ପ୍ରଶାନ୍ତ କିଶୋର ପ୍ରାର୍ଥୀ ହୋଇଥିଲେ । ଦୁଇ ଜଣ ଦକ୍ଷ ରାଜନେତାଙ୍କ ସାମ୍ନାରେ ବିଜେପି ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ଅଭିଷେକଙ୍କୁ ପ୍ରାର୍ଥୀ କରିଥିଲା । ଏହା ପରେ ଅଭିଷେକ ନାମାଙ୍କନ ପତ୍ର ମଧ୍ୟ ଦାଖଲ କରିସାରିଥିଲେ । କିନ୍ତୁ ନିଜ ପାରିବାରିକ କାରଣ ଯୋଗୁଁ ନିର୍ବାଚନ ଲଢ଼ିବେ ନାହିଁ ରାଜ୍ୟ ସଭାପତିଙ୍କୁ ଜଣାଇଛନ୍ତି ।
ସେପଟେ ଅଭିଷେକଙ୍କ ନିଷତ୍ତି ପରେ ସାରା ବିହାରରେ ରାଜନୈତିକ ପାଣିପାଗ ସରଗରମ ହୋଇଯାଇଛି । ନାମାଙ୍କନ ଦାଖଲ କରିବାର ଶେଷ ତାରିଖ 13 ଜୁଲାଇ ଯାଏ ରହିଛି । ଆଉ ମାତ୍ର ଦୁଇଟା ଦିନ ମଧ୍ୟରେ ବିଜେପି ନୂତନ ପ୍ରାର୍ଥୀ ଘୋଷଣା କରି ନାମାଙ୍କନ ଭରିବ । ଏକଦା ନିତିନ ନବୀନଙ୍କ ଗଡ଼ କୁହାଯାଉଥିବା ବାଙ୍କୀପୁରରେ ଆଉ କାହାକୁ ବିଜେପି ମଇଦାନକୁ ଓହ୍ଲାଇବା ତାହା ବର୍ତ୍ତମାନ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ନିତିନ ନବୀନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଏହା ପରେ ବାଙ୍କୀପୁର ଆସନ ଖାଲି ପଡ଼ିଛି । ଆଶାୟୀ ପ୍ରାର୍ଥୀମାନେ ୧୩ ଜୁଲାଇ ପର୍ଯ୍ୟନ୍ତ ସେମାନଙ୍କର ନାମାଙ୍କନ ଦାଖଲ କରିପାରିବେ । ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ୧୪ ଜୁଲାଇରେ ହେବାକୁ ଥିବାବେଳେ ୧୬ ଜୁଲାଇରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ରହିବ । ଏହା ପରେ ୩୦ ଜୁଲାଇ ସକାଳ ୭ଟାରୁ ମତଦାନ ଆରମ୍ଭ ହେବ । ଅଗଷ୍ଟ ୩ ତାରିଖରେ ଫଳାଫଳ ଘୋଷଣା କରାଯିବ।