ନୂଆଦିଲ୍ଲୀ: ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଅଯୋଧ୍ୟା ଶ୍ରୀରାମ ମନ୍ଦିରର ଦାନ ଆତ୍ମସାତ ମାମଲା ଏବେ ଦେଶର ସର୍ବୋଚ୍ଚ ଅଦାଲତରେ ପହଞ୍ଚିଛି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟରେ ହୋଇଥିବା ଏହି ବଡ଼ଧରଣର ଆର୍ଥିକ ଅନିୟମିତତାର ସିବିଆଇ ତଦନ୍ତ ଦାବି କରି ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାଉପରେ ସୁପ୍ରିମକୋର୍ଟ ଆସନ୍ତା ଜୁଲାଇ ୧୩ ସୋମବାର ଦିନ ଶୁଣାଣି କରିବାକୁ ପ୍ରସ୍ତୁତ ଅଛନ୍ତି।
ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ତିନି ଜଣିଆ ଖଣ୍ଡପୀଠ ଏହି ହାଇପ୍ରୋଫାଇଲ ମାମଲାର ବିଚାର କରିବେ। ଏହି ସାମ୍ବିଧାନିକ ବେଞ୍ଚରେ ସିଜେଆଇ ସୂର୍ଯ୍ୟକାନ୍ତଙ୍କ ସମେତ ଜଷ୍ଟିସ ଜୟମାଲ୍ୟ ବାଗଚି ଏବଂ ଜଷ୍ଟିସ ଭି. ମୋହନା ସାମିଲ ଅଛନ୍ତି। କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସମ୍ପୂର୍ଣ୍ଣ ଦୁର୍ନୀତିର ଏକ ନିରପେକ୍ଷ ଏବଂ ସିବିଆଇ ତଦନ୍ତ ପାଇଁ ଆଗତ ହୋଇଥିବା ତିନୋଟି ଭିନ୍ନ ଭିନ୍ନ ଆବେଦନ ଉପରେ ଏହି ବେଞ୍ଚ ଶୁଣାଣି କରିବେ।
ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ ମାମଲାରେ ସୁପ୍ରିମକୋର୍ଟରେ ପୃଥକ ଭାବେ ଆବେଦନ କରାଯାଇଛି।
ପ୍ରଥମ ଆବେଦନଟି ନରେନ୍ଦ୍ର କୁମାର ଗୋସ୍ୱାମୀଙ୍କ ଦ୍ୱାରା ଦାୟର ହୋଇଛି, ଯେଉଁଥିରେ ସିବିଆଇ ତଦନ୍ତ ସହ ମନ୍ଦିର ଟ୍ରଷ୍ଟର ସମସ୍ତ ଆର୍ଥିକ କାରବାରର କାଗ୍ (CAG) ଅଡିଟ୍ କରିବାକୁ ଦାବି ହୋଇଛି। ଦ୍ୱିତୀୟ ଆବେଦନ ଆଇନଜୀବୀ ଅଜୟ କୁମାର ରାୟ ଏବଂ ଦିନେଶ କୁମାର ଯାଦବଙ୍କ ପକ୍ଷରୁ କରାଯାଇ ସମାନ ଢଙ୍ଗରେ କୋର୍ଟ-ମନିଟର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି। ତୃତୀୟ ଆବେଦନଟି ଆରଜେଡି ସାଂସଦ ସୁଧାକର ସିଂହଙ୍କ ଦ୍ୱାରା କରାଯାଇଛି। ସେ ମନ୍ଦିର ପାଣ୍ଠିର ସମ୍ପୂର୍ଣ୍ଣ ଫୋରେନ୍ସିକ ଅଡିଟ୍ କରିବାକୁ କୋର୍ଟରେ ଗୁହାରି କରିଛନ୍ତି।
Also Read: ରାମମନ୍ଦିର ଚୋରି ମାମଲା: ତୀର୍ଥ କ୍ଷେତ୍ର ଭବନକୁ ସ୍ଥାୟୀ ବାସସ୍ଥାନ କରିଛନ୍ତି ଚମ୍ପତ ରାୟ, ଗୋପାଳ ରାଓ