ପୁରୀ: ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସୁରୁଖୁରୁରେ ଆୟୋଜନ କରିବା ପାଇଁ ରାଜ୍ୟ ସରକାର ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରି ରଥଯାତ୍ରା ପ୍ରସ୍ତୁତିର ଟିକିନିଖି ଅଗ୍ରଗତି ଯାଞ୍ଚ କରିଛନ୍ତି।
ବୈଠକରେ ପୂର୍ବରୁ ଜାରି କରାଯାଇଥିବା ୧୦ ଦଫା ନିର୍ଦ୍ଦେଶାବଳୀ କେତେଦୂର କାର୍ଯ୍ୟକାରୀ ହୋଇଛି, ତାହାର ସମୀକ୍ଷା କରାଯାଇଥିଲା। ପ୍ରତ୍ୟେକ ବିଭାଗର ପ୍ରସ୍ତୁତି, ସମନ୍ୱୟ ଏବଂ ବାକି ଥିବା କାମ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବିସ୍ତୃତ ତଥ୍ୟ ନେଇଥିଲେ। ଏହି ସମୀକ୍ଷା ବୈଠକରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ସଚିବ ଓ ଗୁଇନ୍ଦା ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍ ମାଧ୍ୟମରେ ପୁରୀ ଜିଲ୍ଲାପାଳ ଓ ପୁଲିସ ସୁପରିଣ୍ଟେଣ୍ଡେଣ୍ଟଙ୍କ ସହ ସିଧାସଳଖ ଆଲୋଚନା କରି ମାଟିସ୍ତରର ପ୍ରସ୍ତୁତି ସମ୍ପର୍କରେ ଖବର ନେଇଥିଲେ। ଶ୍ରଦ୍ଧାଳୁଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଓ ଜରୁରୀ ସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ସେ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା, ପାନୀୟ ଜଳ, ଟ୍ରାଫିକ୍ ମ୍ୟାନେଜମେଣ୍ଟ, ମନ୍ଦିର ପରିଚାଳନା ଓ ଅନ୍ୟାନ୍ୟ ମୌଳିକ ସୁବିଧା ସମ୍ପର୍କରେ ବିଭାଗୀୟ ଅଧିକାରୀମାନେ ବିସ୍ତୃତ ଉପସ୍ଥାପନା କରିଥିଲେ।
ସମୀକ୍ଷା ଶେଷରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ, ରଥଯାତ୍ରା ଭଳି ବିଶ୍ୱବିଖ୍ୟାତ ଆଧ୍ୟାତ୍ମିକ ମହୋତ୍ସବରେ କୌଣସି ପ୍ରକାରର ଅବହେଳା ବରଦାସ୍ତ କରାଯିବ ନାହିଁ। ବାକି ଥିବା ସମସ୍ତ କାର୍ଯ୍ୟ ତୁରନ୍ତ ଶେଷ କରିବା ସହ ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ପ୍ରତ୍ୟେକ ବିଭାଗ କାମ କରିବାକୁ ସେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଲକ୍ଷ୍ୟ ହେଉଛି, ଦେଶ-ବିଦେଶରୁ ଆସୁଥିବା ଲକ୍ଷାଧିକ ଭକ୍ତ ଯେପରି ସୁରକ୍ଷିତ ଓ ସୁବ୍ୟବସ୍ଥିତ ପରିବେଶରେ ମହାପ୍ରଭୁଙ୍କ ରଥଯାତ୍ରାର ଦର୍ଶନ କରିପାରିବେ।