ରାଜଧାନୀ ଭୁବନେଶ୍ୱରରେ ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ହାସଲ କରିଛି । ରାଜ୍ୟ ବାହାରକୁ ଚାଲାଣ ହେଉଥିବା ଟ୍ରକ୍ ଭର୍ତ୍ତି ଗଞ୍ଜେଇକୁ ଜବତ କରିଛି ଅବକାରୀ ବିଭାଗ । ମୋଟ ୭ କ୍ୱିଣ୍ଟାଲ ଗଞ୍ଜେଇ ସହିତ ୩ ଜଣଙ୍କୁ ଅଟକ ରଖାଯାଇଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଅବକାରୀ ବିଭାଗକୁ ମିଳିଥିବା ଗୁଇନ୍ଦା ସୂଚନା ଆଧାରରେ ଚଢ଼ଉ ହୋଇଥିଲା । ସହିଦନଗର ଥାନା ଅଞ୍ଚଳରୁ ଏକ ଟ୍ରକରୁ ବସ୍ତା ବସ୍ତା ଗଞ୍ଜେଇ ମିଳିଥିଲା । ଯାହାର ଓଜନ ୭ କ୍ୱିଣ୍ଟାଲ୍ ରହିଛି । ପ୍ରାଥମିକ ତଦନ୍ତରୁ ଏହି ଗଞ୍ଜେଇ କନ୍ଧମାଳରୁ ଆସି ଭୁବନେଶ୍ୱରରେ ଏକ ଡିପୋରେ ରଖାଯାଇଥାଆନ୍ତା । ଏହା ପରେ ଟ୍ରେନ୍, ଟ୍ରକ୍ ଏବଂ ବିଭିନ୍ନ ପରିବହନ ମାଧ୍ୟମ ଦେଇ ଅନ୍ୟ ରାଜ୍ୟକୁ ଚାଲାଣ କରାଯାଇଥାଆନ୍ତା । ତେବେ ଅଟକ ହୋଇଥିବା ତିନି ଜଣ ବ୍ୟକ୍ତି କାହାକୁ ଗଞ୍ଜେଇ ଚାଲାଣ କରାଯାଉଥିଲା ତାହା ଜାଣି ନାହାଁନ୍ତି । ସେମାନଙ୍କୁ ଏକ କୋଡ୍ ୱାର୍ଡ ଦିଆଯାଇଥିଲା । ସେହି କୋଡ୍ ୱାର୍ଡ ଯୋଗେ ଅନ୍ୟ ଲୋକକୁ ଗଞ୍ଜେଇ ଦିଆଯାଇଥାଆନ୍ତା । ତେବେ ସେମାନେ କିଏ ସେ ନେଇ ଅବକାରୀ ବିଭାଗ ତଦନ୍ତ ଚଳାଇଛି ।