ଭୁବନେଶ୍ୱର: ଆଜି ରାଜ୍ୟବ୍ୟାପୀ ଆଶାକର୍ମୀମାନେ ଆନ୍ଦୋଳନ କରିଛନ୍ତି । ଦରମା ବୃଦ୍ଧି, ସାମାଜିକ ସୁରକ୍ଷା, ସମାନ ଓ ୫ଜି ମୋବାଇଲ ପ୍ରଦାନ ଆଦି ବିଭିନ୍ନ ଦାବି ନେଇ ବିଭିନ୍ନ ଜିଲ୍ଲାରେ ଆଶାକର୍ମୀମାନେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।
ଆଶାକର୍ମୀମାନେ ଅଭିଯୋଗ କରିଛନ୍ତି ଯେ ଆଶାକର୍ମୀଙ୍କ ଦିନକ ମଜୁରୀ ୨୫ ଟଙ୍କା ହିସାବରେ ଦରମା ଦିଆଯାଉଛି । ୨୫ ଟଙ୍କାରେ କିପରି ପରିବାର ପ୍ରତିପୋଷଣ କରିବେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ମାସିକ ସର୍ବନିମ୍ନ ଦରମା ୧୮, ୦୦୦ ଟଙ୍କା ପ୍ରଦାନ, ସମସ୍ତ ଆଶା କର୍ମୀମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାଭୁକ୍ତ କରାଯାଇ ଇଏସଆଇ ଓ ଇପିଏଫଓ ଅନ୍ତର୍ଗତ ପଞ୍ଜିକୃତ କରିବା, ଡିଜିଟାଲ କାର୍ଯ୍ୟ ପାଇଁ 5ଜି ମୋବାଇଲ ପ୍ରଦାନ, ହସ୍ପିଟାଲରେ ଉଚିତ ସମ୍ମାନ ପ୍ରଦାନ, କାର୍ଯ୍ୟ ସମୟରେ ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ ପରିବାରକୁ ୧୦ ଲକ୍ଷ ଓ ଶାରୀରିକ ଅକ୍ଷମ କ୍ଷେତ୍ରରେ ୫ ଲକ୍ଷ୍ୟ ଟଙ୍କା ସହାୟତା ସହ ଗ୍ରୁପ ଇନ୍ସୁରାନ୍ସ ପ୍ରଦାନ ସହ ଅନ୍ୟ ଦାବି କରାଯାଇଛି । ଦାବି ପୁରଣ ନ ହେଲେ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ ହେବ ବୋଲି ଆଶାକର୍ମୀ ଚେତାବନୀ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।