ଭୁବନେଶ୍ୱର: ମତ୍ସ୍ୟ ବ୍ୟବସାୟରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି । ନୀଳ ଅର୍ଥନୀତିକୁ ଆହୁରି ଆଗକୁ ବଢ଼ାଇବାକୁ ରାଜ୍ୟରେ ଆରମ୍ଭ ହୋଇଛି “ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ” ।ମାନ୍ୟବର ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍ ଭାରତ ସରକାରଙ୍କ ମତ୍ସ୍ୟପାଳନ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରାଳୟ ପକ୍ଷରୁ ସ୍ଥାନୀୟ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁକ୍ତ ସାଗରରେ ଦୀର୍ଘସ୍ଥାୟୀ ମତ୍ସ୍ୟ ଉତ୍ପାଦନ ଲାଗି ଉଦ୍ଦିଷ୍ଟ ‘ଗଭୀର ସମୁଦ୍ରରେ ଦୀର୍ଘସ୍ଥାୟୀ ମାଛ ଉତ୍ପାଦନ ଲାଗି ଅନୁମୋଦନ ପତ୍ର (LoA)’ର ଜାତୀୟ ଶୁଭାରମ୍ଭ କରିଛନ୍ତି। ଏହି ପବିତ୍ର ଅବସରରେ ଉପରାଷ୍ଟ୍ରପତି ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ସଫଳତା ‘ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଡକୁମେଣ୍ଟ (୨୦୨୬-୨୦୩୬)’କୁ ମଧ୍ୟ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି।
ଏହି ମାଛଧରା ମିଶନରୁ ଓଡ଼ିଶାର ମତ୍ସ୍ୟଜୀବୀ ଏବଂ ମତ୍ସ୍ୟ ବ୍ୟବସାୟୀ ବେଶ ଲାଭାନ୍ୱିତ ହେବେ ବୋଲି ଆଶା ରଖାଯାଇଛି । ସାଧାରଣତଃ ସମୂଦ୍ର କୂଳରୁ (12 Nautical miles) ୨୩ କିଲୋମିଟର ପର୍ଯ୍ୟନ୍ତ ଭିତରେ ମାଛଧରା କାର୍ଯ୍ୟ ସୀମିତ ରହିଥାଏ । “ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ” କାର୍ଯ୍ୟକାରୀ ହେବା ଦ୍ଵାରା ଓଡ଼ିଶାର ମତ୍ସ୍ୟଜୀବୀମାନେ ୫୭୫ କିଲୋମିଟର ସୀମା ମଧ୍ୟରେ ମାଛ ଧରି ପାରିବେ । ଏହା ସହିତ ପ୍ରାଧିକରଣ ପତ୍ର ପାଇଥିବା ମତ୍ସ୍ୟଜୀବୀମାନେ ୫୭୫ କିଲୋମିଟର ସୀମା ଅତିକ୍ରମ କରି ଅନ୍ତର୍ଜାତୀୟ ସମୁଦ୍ରରେ ମଧ୍ୟ ମାଛ ଧରି ପାରିବେ । ଏହି ପଦକ୍ଷେପ ଦ୍ଵାରା ମତ୍ସ୍ୟଜୀବୀଙ୍କ ଜୀବନ-ଜୀବିକା ଅଧିକ ସଶକ୍ତ ହେବା ସହ ସମୃଦ୍ଧ ନୀଳ ଅର୍ଥନୀତିର ନବ ଦିଗନ୍ତକୁ ଉନ୍ମୋଚନ କରିବ । ଏହା ଆନ୍ତର୍ଜାତିକ ସମୁଦ୍ର ଓ ଗଭୀର ସମୁଦ୍ରରୁ ମାଛ ଧରିବା ସହ ମତ୍ସ୍ୟ ରପ୍ତାନି କ୍ଷେତ୍ରରେ ଓଡ଼ିଶାକୁ ଶୀର୍ଷ ସ୍ଥାନରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛି । ଉନ୍ନତ ମାଛଧରା ଉପକରଣ, ପରିଚାଳନା ଏବଂ ବଜାର ସଂଯୋଗ ପାଇଁ ସହଯୋଗ ଯୋଗାଇ ଦିଆଯିବ । ଏହା ମତ୍ସ୍ୟ ଉତ୍ପାଦନ ବୃଦ୍ଧି, ନିଯୁକ୍ତି ସୃଷ୍ଟି, ମତ୍ସ୍ୟଜୀବୀଙ୍କ ଆୟ ବୃଦ୍ଧି ଏବଂ ସାମୁଦ୍ରିକ ଖାଦ୍ୟ ରପ୍ତାନି ବୃଦ୍ଧି କରିବା ଦିଗରେ ସହାୟକ ହେବ ।
ଚଳିତ ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତ ପ୍ରାୟ ୭୩, ୮୯୦ କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ରପ୍ତାନି କରି ବିଶ୍ୱରେ ଅଗ୍ରଣୀ ସ୍ଥାନ ହାସଲ କରିପାରିଛି। ବର୍ତ୍ତମାନ ସୁଦ୍ଧା ଅଧିକାଂଶ ମାଛଧରା କାର୍ଯ୍ୟ ଉପକୂଳର ୪୦-୫୦ ନଟିକାଲ ମାଇଲ ମଧ୍ୟରେ ସୀମିତ ଥିବାବେଳେ ଗଭୀର ସମୁଦ୍ରର ଅନ୍ତର୍ଜାତୀୟ ଜଳସୀମାରେ ଟୁନା ଭଳି ଉଚ୍ଚ-ମୂଲ୍ୟର ମାଛ ଧରିବା ପାଇଁ ଏହି ନୂତନ ନୀତି ବିରାଟ ସୁଯୋଗ ଆଣିଦେବ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣ କ୍ଷେତ୍ରକୁ ସୁଦୃଢ଼ କରିବ।
ଭାରତ ସରକାରଙ୍କ ମତ୍ସ୍ୟ ବିଭାଗ ଦ୍ୱାରା ଆୟୋଜିତ ଏହି ସମାରୋହରେ ଜାତୀୟ ସମବାୟ ରପ୍ତାନି ଲିମିଟେଡ୍ (NCEL) ସମେତ ବିଭିନ୍ନ ପ୍ରମୁଖ ମତ୍ସ୍ୟ ସମବାୟ ସମିତି ଏବଂ ମାଛଧରା ଜାହାଜର ମାଲିକମାନଙ୍କୁ ସ୍ୱତନ୍ତ୍ର ଅନୁମୋଦନ ପତ୍ର ବଣ୍ଟନ କରାଯାଇଛି, ଯାହା ଦ୍ୱାରା ଯୋଗ୍ୟ ଭାରତୀୟ ଜାହାଜଗୁଡ଼ିକୁ ଦେଶର ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର (EEZ) ବାହାରେ ଥିବା ଗଭୀର ଅନ୍ତର୍ଜାତୀୟ ସାମୁଦ୍ରିକ ଜଳସୀମାରେ ନିୟନ୍ତ୍ରିତ ଓ ଦାୟିତ୍ୱପୂର୍ଣ୍ଣ ଭାବେ ଉଚ୍ଚ-ମୂଲ୍ୟବାନ ମାଛ ଧରିବା ପାଇଁ ଅନୁମତି ମିଳିପାରିବ।
ଉପରାଷ୍ଟ୍ରପତି ଶ୍ରୀଜଗନ୍ନାଥଙ୍କୁ ପ୍ରଣାମ ଜଣାଇ ଅତି ଚମତ୍କାର ଭାବେ ଓଡ଼ିଆ ଭାଷାରେ ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ସେ ଓଡ଼ିଶାର ସାଂସ୍କୃତିକ ଓ ନୌବାଣିଜ୍ୟର ସ୍ୱର୍ଣ୍ଣିମ ଇତିହାସର ସ୍ମୃତି ଚାରଣ କରି କହିଥିଲେ, ଓଡ଼ିଶାର ଐତିହାସିକ ବାଲିଯାତ୍ରା ଏବଂ ବୋଇତ ବନ୍ଦାଣ ଉତ୍ସବ ଏହି ମାଟିର ବୀର ସାଧବ ପୁଅମାନଙ୍କ ସମୁଦ୍ର ଯାତ୍ରା ଓ ସମୃଦ୍ଧ ନୌବାଣିଜ୍ୟ ପରମ୍ପରାର ଜ୍ୱଳନ୍ତ ପ୍ରତୀକ। ଆଜିର ଏହି ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ସେହି ପୁରାତନ ଗୌରବକୁ ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ପୁନର୍ଜୀବିତ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନରେ ଦେଶର ସାମୁଦ୍ରିକ କ୍ଷେତ୍ରରେ ଯେଉଁ ଯୁଗାନ୍ତକାରୀ ପରିବର୍ତ୍ତନ ଆସିଛି, ତାହା ଅଦ୍ଭୁତପୂର୍ବ। ଭାରତୀୟ-ପତାକାଧାରୀ ମାଛଧରା ଜାହାଜ ଦ୍ୱାରା ଦୀର୍ଘସ୍ଥାୟୀ ଗଭୀର-ସମୁଦ୍ର ମାଛଧରା ପାଇଁ ମାର୍ଗଦର୍ଶିକା ୨୦୨୫' ଅଧୀନରେ ଅନୁମୋଦନ ପତ୍ର (LoA) ହାସଲ କରିବା ଏକ ବାଧ୍ୟତାମୂଳକ ଆବଶ୍ୟକତା। ଏହି ଏଲଓଏ କେବଳ ନିର୍ଦ୍ଦିଷ୍ଟ ଜାହାଜକୁ ମିଳିବ ଏବଂ ଏହା ଅଣ-ହସ୍ତାନ୍ତରଯୋଗ୍ୟ ଅଟେ, ଯାହା ଗଭୀର ସମୁଦ୍ର ମାଛଧରା କ୍ଷେତ୍ରରେ ଏକ ସ୍ୱଚ୍ଛ ଓ ଉତ୍ତରଦାୟୀ ଢାଞ୍ଚା ପ୍ରଦାନ କରିବ।
ଏହି ଜାତୀୟ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଦେଶର ବିଭିନ୍ନ ଉପକୂଳବର୍ତ୍ତୀ ରାଜ୍ୟରୁ ଆସିଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରାଧିକରଣ ପତ୍ର (LoA) ପ୍ରଦାନ କରିଥିଲେ। ଏହି ଅନୁମୋଦନ ପତ୍ର ପାଇଥିବା ସଂସ୍ଥା ଓ ମତ୍ସ୍ୟଜୀବୀମାନଙ୍କ ମଧ୍ୟରେ ଓଡ଼ିଶାର ପାରାଦୀପ ସମେତ ମହାରାଷ୍ଟ୍ର, କେରଳ, ତାମିଲନାଡୁ, ଗୋଆ, ଆନ୍ଧ୍ରପ୍ରଦେଶ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଦେଶର ଅନ୍ୟାନ୍ୟ ପ୍ରମୁଖ ଉପକୂଳ ଅଞ୍ଚଳରୁ ଆସିଥିବା ସାମୁଦ୍ରିକ ସମବାୟ ସମିତିର ପ୍ରତିନିଧିମାନେ ସାମିଲ ଥିଲେ। ଏହି ବଣ୍ଟନ ଭାରତର ସମଗ୍ର ସାମୁଦ୍ରିକ ସୀମାକୁ ସୁଦୃଢ଼ କରିବା ସହ ଅନ୍ତର୍ଜାତୀୟ ଜଳସୀମାରେ ଦେଶର ଜାହାଜଗୁଡ଼ିକର ସାର୍ବଭୌମତ୍ୱ ଏବଂ ନିୟନ୍ତ୍ରିତ ମାଛଧରାକୁ ସୁନିଶ୍ଚିତ କରିବ।