ଭୁବନେଶ୍ୱର: ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସ୍ୱତନ୍ତ୍ର ବିମାନ ଯୋଗେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ। ଉପରାଷ୍ଟ୍ରପତି ଭାବେ ଏହା ତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ ହୋଇଥିବାବେଳେ, ଦୁଇଟି ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମରେ ସେ ଯୋଗଦେବେ।
ପୂର୍ବାହ୍ନ ୧୧ଟାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ରେ ଆୟୋଜିତ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କରିବେ। ଏହି ଅବସରରେ ସେ ମତ୍ସ୍ୟଜୀବୀମାନଙ୍କୁ ପ୍ରାଧିକରଣ ପତ୍ର ବଣ୍ଟନ କରିବା ସହ ମିଶନର ଦସ୍ତାବିଜକୁ ମଧ୍ୟ ଉନ୍ମୋଚନ କରିବେ। ରାଜ୍ୟର ମତ୍ସ୍ୟ କ୍ଷେତ୍ରର ବିକାଶ ଏବଂ ସମୁଦ୍ର ମାଛଧରାକୁ ଅଧିକ ସୁଦୃଢ଼ କରିବା ଦିଗରେ ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି।
ଅପରାହ୍ନରେ ଉପରାଷ୍ଟ୍ରପତି ଜଟଣୀ ସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ (ନାଇଜର)ର ୧୫ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବେ।
ଉପରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସହରର ପ୍ରମୁଖ ଛକ ଓ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପୋଲିସ ମୁତୟନ ସହ ଟ୍ରାଫିକ୍ ବ୍ୟବସ୍ଥାକୁ ସୁଚାରୁ ରଖିବା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି।
ସେହିପରି ଅପରାହ୍ନ ୩ଟା ୫୫ ମିନିଟ୍ ସମୟରେ ଉପରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନେଇ ଜୟଦେବ ବିହାର ଛକ ଦେଇ ଯାତାୟାତ ଉପରେ ସାମୟିକ କଟକଣା ଲାଗୁ କରାଯିବ। ଏଥିପାଇଁ ସାଧାରଣ ଲୋକଙ୍କୁ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ଟ୍ରାଫିକ୍ ପୋଲିସ ପରାମର୍ଶ ଦେଇଛି। ତେବେ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ଓ ଅନ୍ୟାନ୍ୟ ଜରୁରୀକାଳୀନ ସେବା ଯାନ ପାଇଁ ଏହି କଟକଣା ଲାଗୁ ହେବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ରାଜଧାନୀବାସୀଙ୍କୁ ଟ୍ରାଫିକ୍ ପରାମର୍ଶ ମାନି ଯାତ୍ରା କରିବାକୁ ପୋଲିସ ଅନୁରୋଧ କରିଛି।