କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବନାଞ୍ଚଳର ଫରେଷ୍ଟ ରେଞ୍ଜର୍ ରବିନ୍ଦ୍ର କୁମାର ନାୟକ ଗିରଫ ହୋଇଛନ୍ତି । ଗୁରୁବାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଞ୍ଜରଙ୍କୁ ଗିରଫ କରିଛି ।
ଗତକାଲି କେନ୍ଦ୍ରାପଡା ଫରେଷ୍ଟ ରେଞ୍ଜର ରବିନ୍ଦ୍ର କୁମାର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଥିଲା । କେନ୍ଦ୍ରାପଡ଼ା ଏବଂ କଟକର ଏକାଧିକ ସ୍ଥାନରେ ଚଢ଼ଉ ହୋଇଥିଲା । କଟକ ଜିଲ୍ଲା ବାରଙ୍ଗ ଥାନା ଅଧିନସ୍ଥ ମୁଣ୍ଡୁଳି ଗୋଡ଼ିସାହିରେ ଥିବା ଚାରି ମହଲା ବିଶିଷ୍ଟ ବାସଭବନ, ବାଙ୍କୀ ଥାନା ଅନ୍ତର୍ଗତନ ସାହାଡ଼ପଡ଼ାରେ ଥିବା ପୈତୃକ ଘର, କେନ୍ଦ୍ରାପଡ଼ା ବନାଞ୍ଚଳ କାର୍ୟ୍ୟାଳୟ ଏବଂ ବନ ବିଭାଗ କ୍ୱାଟର୍ସରେ ଚଢ଼ଉ କରାଯାଉଛି । ଏଥିରେ ଭିଜିଲାନ୍ସ ବିଭାଗର ୫ ଜଣ ଡିଏସପି, ୯ ଜଣ ଇନସ୍ପେକ୍ଟର୍, ୫ ଜଣ ଏଏସ୍ଆଇ ଏବଂ ଅନ୍ୟ ସହ କର୍ମଚାରୀ ସାମିଲ ଥିଲେ ।
ସମ୍ପତ୍ତି ଉପରେ କରାଯାଇଥିବା ତଲାସ ଆଧାରରେ, ତାଙ୍କ ପାଖରେ ୨ଟି କୋଠା ରହିଛି । କଟକ ବାରଙ୍ଗ ଥାନା ମୁଣ୍ଡୁଳିରେ ୭୦୩୮ ବର୍ଗଫୁଟ ଜମି ଉପରେ ଚାରି ମହଲା କୋଠା ଅନ୍ତର୍ଭୁକ୍ତ ରହିଛି । ସେହିପରି ବାଙ୍କୀରେ ଆଉ ଏକ କୋଠା ରହିଛି । ଏହା ସହିତ ୬ଟି ଦାମୀ ପ୍ଲଟ୍, ୨୮୩ ଗ୍ରାମ ସୁନା, ନଗଦ ୨.୧୪ ଲକ୍ଷ ଟଙ୍କା, ଜମା ୭୬ ଲକ୍ଷ ଟଙ୍କା, ଗୋଟିଏ ଚାରି ଚକିଆ ଯାନ ଇତ୍ୟାଦି ସମ୍ପତ୍ତି ଥିବା ଜଣାପଡ଼ିଥିଲା । ମିଳିଥିବା ସମ୍ପତ୍ତିର କୌଣସି ସନ୍ତୋଷଜନକ ଉତ୍ତର ଦେବାରେ ସେ ବିଫଳ ହେବାରୁ ଭିଜିଲାନ୍ସ ଆଜି ତାଙ୍କୁ ଗିରଫ କରିଛି ।