ଭୁବନେଶ୍ବର: ହୀରାକୁଦ ଜଳଭଣ୍ଡାରର ପାଣି ସ୍ତର ବଢ଼ିବାରେ ଲାଗିଛି। ମହାନଦୀର ଉପରମୁଣ୍ଡରେ ବର୍ଷା ହୋଇଥିବାରୁ ଜଳଭଣ୍ଡାରରର ଜଳସ୍ତର ବଢ଼ିବାରେ ଲାଗିଛି। ହୀରାକୁଦ ଜଳଭଣ୍ଡାରର ଜଳଧାରଣା କ୍ଷମତାକୁ ଦୃଷ୍ଟିରେ ରଖି ଏଠାରୁ ଜଳ ନିଷ୍କାସନ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛି। ଫଳରେ ଆବଶ୍ୟକତା ଅନୁଯାୟୀ ଆଜି ହୀରାକୁଦ ଡ୍ୟାମ୍ରୁ ଗେଟ୍ କିଛି ଗେଟ୍ ଖୋଲିବ। ଏହା ଦ୍ବାରା ମହାନଦୀର ତଳମୁଣ୍ଡରେ ଜଳସ୍ତର ବଢ଼ିବ। ମହାନଦୀ କୂଳରେ ରହୁଥିବା ଗାଁ ଏବଂ ସହରବାସିନ୍ଦା ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଜାରି କରାଯାଇଛି।
ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବା ପୂର୍ବରୁ ଗତକାଲି ଏକ ଗୁରୁତ୍ବପୂର୍ଣ୍ଣ ବୈଠକର ଆୟୋଜନ ହୋଇଥିଲା। ଏହି ବୈଠକ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଆଜି ପୂର୍ବାହ୍ଣରେ ହୀରାକୁଦ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ କରାଯିବ।
ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷର ସୂଚନା ଅନୁସାରେ ବୁଧବାର ସଂଧ୍ୟା ୭ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୨.୯୭ ଫୁଟ୍ ରହିଥିଲା। ସେହି ସମୟରେ ହୀରାକୁଦକୁ ସେକେଣ୍ଡ ପ୍ରତି ହାରାହାରି ୨ ଲକ୍ଷ ୪୨ ହଜାର ୯୬୬ ଘନଫୁଟ୍ ପାଣି ପ୍ରବେଶ କରୁଥିଲାବେଳେ ୨୬ ହଜାର ୩୦୦୩ କ୍ୟୁସେକ ନିଷ୍କାସିତ ହେଉଥିଲା।
ଅଧିକ ପଢ଼ନ୍ତୁ: ୨୩ଟି ରାଜ୍ୟକୁ ସତର୍କ ସୂଚନା ଜାରି କଲା ଆଇଏମ୍ଡି