ନୟାଗଡ଼: ନୟାଗଡ଼ ସଦର ଥାନା ଅଞ୍ଚଳରେ ଘଟିଥିବା ହତ୍ୟା ମାମଲାର ମାତ୍ର ୨୪ ଘଣ୍ଟାରେ ପର୍ଦ୍ଦାଫାସ କରିଛି ପୋଲିସ । ଏହି ମାମଲାରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ଏସପି ଙ୍କ ତତ୍ତ୍ୱାବଧାନରେ ଗଠିତ ସ୍ୱତନ୍ତ୍ର ଟିମ୍ ଏହି ମାମଲାର ତଦନ୍ତ କରି ମାତ୍ର ୨୪ ଘଣ୍ଟା ମଧ୍ୟରେ ଘଟଣାର ପର୍ଦ୍ଦାଫାସ କରିଛି। ଏହି ମାମଲାରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେହିପରି ତଦନ୍ତ ସମୟରେ ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ରକୁ ମଧ୍ୟ ପୋଲିସ ଜବତ କରିଛି।
ପୋଲିସ ପକ୍ଷରୁ କୁହାଯାଇଛି ଯେ, ମାମଲାର ଅଧିକ ତଦନ୍ତ ଜାରି ରହିଛି ଏବଂ ଅପରାଧୀଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିବ।
ଉଲ୍ଲେଖ ଯୋଗ୍ୟ, ନୟାଗଡ଼ ସଦର ଥାନା ଅନ୍ତର୍ଗତ ଡାଲିଆମଡା ଗାଁରେ ଏକ ହୃଦୟବିଦାରକ ହତ୍ୟାକାଣ୍ଡ ଘଟିଥିଲା । ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରାଯିବା ସହ ପ୍ରମାଣ ନଷ୍ଟ ପାଇଁ ଶବକୁ ବସ୍ତାରେ ଭରି ନଦୀରେ ଭସାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ମୃତ ଯୁବକ ଜଣକ ହେଉଛନ୍ତି ଡାଲିଆମଡା ଗାଁର ଅଭିମନ୍ୟୁ ସାହୁ। ଅଭିମନ୍ୟୁ ନିଜ ଭାଇଙ୍କ ପାଇଁ ଔଷଧ ଆଣିବାକୁ ବଜାରକୁ ଯାଇଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରାୟ ୩୦ ଜଣ ଲୋକ ଲୁହା ରଡ୍ ଓ ମାରଣାସ୍ତ୍ରରେ ଅଭିମନ୍ୟୁଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା କରିଥିଲେ ।