ଭୁବନେଶ୍ୱର: ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ ଆସନ୍ତାକାଲି ଦ୍ୱିତୀୟ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାଙ୍କର ଏହି ହାଇ-ପ୍ରୋଫାଇଲ୍ ଗସ୍ତକୁ ନଜରରେ ରଖି ରାଜଧାନୀ ଭୁବନେଶ୍ୱରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସ୍ୱତନ୍ତ୍ର ଟ୍ରାଫିକ କଟକଣା ଜାରି କରାଯାଇଛି। କମିଶନରେଟ୍ ପୋଲିସ ପକ୍ଷରୁ ଯାନବାହନ ଚଳାଚଳ ପାଇଁ ଆଡଭାଇଜରି ଜାରି କରାଯାଇଥିବାରୁ ସହରବାସୀଙ୍କୁ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।
ସୂଚନା ଅନୁଯାୟୀ, ସକାଳ ୧୦ଟା ୨୫ ମିନିଟ୍ରୁ ୧୦ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଏୟାରପୋର୍ଟ ଛକରୁ ଓୟୁଏଟି ଛକ ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଲାଗୁ ରହିବ। ସେହିପରି ଲୋକସେବା ଭବନ, ପାୱାର ହାଉସ ଛକ ଓ ଅପରାହ୍ନ ୩ଟା ୫୫ ମିନିଟ୍ରେ ଜୟଦେବ ବିହାର ଅଞ୍ଚଳରେ ମଧ୍ୟ କିଛି ସମୟ ପାଇଁ ଯାତାୟାତ ନିୟନ୍ତ୍ରଣ କରାଯିବ।
ଉପରାଷ୍ଟ୍ରପତି ଭୁବନେଶ୍ୱରରେ ଆୟୋଜିତ ଜାତୀୟ ବ୍ଲୁ-ଇକୋନୋମି ଓ ମତ୍ସ୍ୟ କ୍ଷେତ୍ର ସମ୍ବନ୍ଧୀୟ ବୃହତ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ସେ ଗଭୀର ସମୁଦ୍ର ମତ୍ସ୍ୟଚାଷ ପାଇଁ ଜାତୀୟ ‘ଅନୁମତି ପତ୍ର’ର ଶୁଭାରମ୍ଭ କରିବା ସହ ‘ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟଚାଷ ମିଶନ’ ଦଲିଲର ଉନ୍ମୋଚନ କରିବେ। ଏହି ପଦକ୍ଷେପ ଓଡ଼ିଶାର ସାମୁଦ୍ରିକ ମତ୍ସ୍ୟ ସମ୍ପଦର ବିକାଶ ଓ ଦେଶର ବ୍ଲୁ-ଇକୋନୋମି କ୍ଷେତ୍ରକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି।
ଗସ୍ତକୁ ନେଇ ବିମାନବନ୍ଦରରୁ କାର୍ଯ୍ୟକ୍ରମ ସ୍ଥଳ ଓ ରାଜଭବନ ପର୍ଯ୍ୟନ୍ତ କାରକେଡ୍ର ମକ୍ ଡ୍ରିଲ୍ ଶେଷ ହୋଇଛି। ସୁରକ୍ଷା ପାଇଁ ୩୦ରୁ ଅଧିକ ପ୍ଲାଟୁନ ପୋଲିସ ଫୋର୍ସ, ବରିଷ୍ଠ ଆଇପିଏସ୍ ଅଧିକାରୀ ଏବଂ ସାଧା ପୋଷାକଧାରୀ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ କରାଯାଇ ରହଣି, ସ୍ୱାଗତ, ପ୍ରୋଟୋକଲ୍ ଓ ସୁରକ୍ଷା ବ୍ୟବସ୍ଥାର ଶେଷ ସମୀକ୍ଷା କରାଯାଇଛି।
ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଜଧାନୀରେ ଉତ୍ସାହ ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ ସର୍ବୋଚ୍ଚ ସ୍ତରକୁ ବୃଦ୍ଧି କରାଯାଇଛି। ତେଣୁ ଟ୍ରାଫିକ କଟକଣାକୁ ଦୃଷ୍ଟିରେ ରଖି ନାଗରିକମାନଙ୍କୁ ଯାତ୍ରା ପୂର୍ବରୁ ରୁଟ୍ ଯୋଜନା କରିବାକୁ ପୋଲିସ ପରାମର୍ଶ ଦେଇଛି।