ଆନ୍ତର୍ଜାତୀୟ ବଜାରରେ ଗତ କିଛି ସମୟ ଧରି କଚ୍ଚା ତେଲ ମୂଲ୍ୟରେ ଯେଉଁ ଆଶ୍ୱସ୍ତି ଦେଖାଯାଉଥିଲା, ତାହା ହଠାତ୍ ପାଉଁଶ ହୋଇଯାଇଛି। ମିଡିଲ୍ ଇଷ୍ଟ (ମଧ୍ୟ ପ୍ରାଚ୍ୟ) ରେ ଆମେରିକା ଏବଂ ଇରାନ ମଧ୍ୟରେ ଗଭୀର ହେଉଥିବା ସାମରିକ ତିକ୍ତତା କ୍ରୁଡ୍ ଅଏଲ୍ ବଜାରରେ ବଡ଼ ଆଲୋଡନ ସୃଷ୍ଟି କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚୁକ୍ତି ଶେଷ ହୋଇଥିବା ନେଇ ମଧ୍ୟ ଘୋଷଣା କରିଛନ୍ତି। ଅଙ୍କାରାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଟ୍ରମ୍ପ କହିଛନ୍ତି ଯେ ଇରାନ ସହିତ ଏବେ ଆଉ କୌଣସି ଚୁକ୍ତି ହେବ ନାହିଁ। ଆମେ ସବୁକିଛି ଶେଷ କରିଦେଇଛୁ।
ଗଭୀର ହେଉଥିବା ସାମରିକ ତିକ୍ତତା ଯୋଗୁଁ କଚ୍ଚା ତେଲ ଦରରେ ପ୍ରାୟ ୬ ପ୍ରତିଶତର ଏକ ବଡ଼ ଉଛାଳ ରେକର୍ଡ କରାଯାଇଛି। ପରିସ୍ଥିତି ଏପରି ହୋଇଛି ଯେ ବ୍ରେଣ୍ଟ କ୍ରୁଡ୍ ବୃଦ୍ଧି ପାଇ ବ୍ୟାରେଲ ପିଛା ୭୮ ଡଲାର ଅତିକ୍ରମ କରିଛି, ଯେଉଁଠାରେ କି ଡବ୍ଲୁଟିଆଇ (WTI) କ୍ରୁଡ୍ ମଧ୍ୟ ପ୍ରାୟ ୫.୮ ପ୍ରତିଶତ ବୃଦ୍ଧି ପାଇ ବ୍ୟାରେଲ ପିଛା ୭୪.୪୭ ଡଲାର ଉପରେ କାରବାର କରୁଛି।
ଆମେରିକା କାହିଁକି ଉଠାଇଲା ଏହି କଠୋର ପଦକ୍ଷେପ?
କଚ୍ଚା ତେଲ ବଜାରରେ ହଠାତ୍ ଆସିଥିବା ଏହି ଦ୍ରୁତ ବୃଦ୍ଧି ପଛରେ 'ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍' (Strait of Hormuz) ରେ ଘଟିଥିବା ଏକ ବଡ଼ ଘଟଣା ରହିଛି। ବିଗତ ଦିନରେ ଏହି ସାମୁଦ୍ରିକ ପଥ ଦେଇ ଗତି କରୁଥିବା ତିନୋଟି ବ୍ୟାବସାୟିକ ତେଲ ଟାଙ୍କର ଉପରେ ଡ୍ରୋନ୍ ଏବଂ ମିସାଇଲ୍ ସାହାଯ୍ୟରେ ଆକ୍ରମଣ କରାଯାଇଥିଲା। ଏଥିରେ କତାରର ପତାକା ଥିବା 'ଅଲ୍ ରେକୟାତ୍' ଜାହାଜ ମଧ୍ୟ ସାମିଲ ଥିଲା। ଆମେରିକାର ଗୁପ୍ତଚର ସଂସ୍ଥାଗୁଡ଼ିକ ଏହି ଆକ୍ରମଣ ପାଇଁ ସିଧାସଳଖ ଇରାନକୁ ଦାୟୀ କରିଛନ୍ତି, ଯଦିଓ ଇରାନ ଏହାର ଦାୟିତ୍ୱ ଗ୍ରହଣ କରିନାହିଁ।
ଏହାର ଜବାବରେ ମଙ୍ଗଳବାର ଦିନ ଆମେରିକା ଏକ ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଇରାନର ୮୦ ରୁ ଅଧିକ ଆଡ୍ଡା ଉପରେ ଜୋରଦାର ଆକ୍ରମଣ କରିଛି। ଏହି ଭୟଙ୍କର ଆକ୍ରମଣରେ ଇରାନର ଏୟାର ଡିଫେନ୍ସ ସିଷ୍ଟମ, ଉପକୂଳ ରଡାର ନେଟୱର୍କ ଏବଂ ଆଣ୍ଟି-ସିପ୍ କ୍ରୁଜ୍ ମିସାଇଲ୍ ଲଞ୍ଚ ପ୍ୟାଡ୍ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି। କେବଳ ସେତିକି ନୁହେଁ, ଆମେରିକା ଇରାନର ରିଭୋଲ୍ୟୁସନାରୀ ଗାର୍ଡସ (IRGC) ର ୬୦ ରୁ ଅଧିକ ଡଙ୍ଗାକୁ ମଧ୍ୟ ନଷ୍ଟ କରିଦେଇଛି। ଏହି କାର୍ଯ୍ୟାନୁଷ୍ଠାନ ପରେ ଇରାନ ମଧ୍ୟ କଠୋର ଜବାବୀ ଆକ୍ରମଣର ଧମକ ଦେଇଛି, ଯାହା ଦ୍ୱାରା ସମଗ୍ର ମିଡିଲ୍ ଇଷ୍ଟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଟ୍ରମ୍ପ ଇରାନ ସହିତ ଚୁକ୍ତି ଶେଷ ହୋଇଥିବା ନେଇ ମଧ୍ୟ ଘୋଷଣା କରିଛନ୍ତି।
ଟ୍ରମ୍ପ କହିଛନ୍ତି ଯେ ଇରାନ ସହିତ ଏବେ ଆଉ କୌଣସି ଚୁକ୍ତି ହେବ ନାହିଁ। ଆମେ ସବୁକିଛି ଶେଷ କରିଦେଇଛୁ। ରାଷ୍ଟ୍ରପତି ଟ୍ରମ୍ପ ଆଗକୁ କହିଛନ୍ତି ଯେ ଇରାନ ମୋ ସହ ମିଛ କହିଛି। ତେଣୁ ଏବେ ତେହେରାନ ସହିତ ଆଗକୁ ଆଉ ଆଲୋଚନା ହୋଇପାରିବ ନାହିଁ। ଆମେ ତେହେରାନକୁ ପରମାଣୁ ମୁକ୍ତ କରିବୁ। ଏଥିପାଇଁ ଖୁବ୍ ଶୀଘ୍ର ଯୋଜନା କାର୍ଯ୍ୟକାରୀ କରାଯିବ। ଅନ୍ୟପଟେ ଇରାନ ଆମେରିକାକୁ ଜବାବ ଦେଇ କହିଛି ଯେ ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛୁ। ଆମେରିକା ହୋର୍ମୁଜ୍ରେ ବିଶ୍ୱାସଘାତକତା କରିଛି। ତେଣୁ ତା’ ସହିତ ଆଲୋଚନା ଉପରେ ଭରସା କରାଯାଇପାରିବ ନାହିଁ। ବିପଦକୁ ଦୃଷ୍ଟିରେ ରଖି ପଡୋଶୀ ଦେଶ କୁୱେତ ଏବେ ବହରିନ ସେମାନଙ୍କ ଏୟାର ଡିଫେନ୍ସ ସିଷ୍ଟମକୁ ହାଇ ଆଲର୍ଟରେ ରଖିଛନ୍ତି।
ତେଲ ବିକ୍ରି ରିହାତି ଶେଷ ହେବା ଦ୍ୱାରା ଗଭୀର ହେଲା ସଙ୍କଟ
ଆକ୍ରମଣର ସଙ୍ଗେ ସଙ୍ଗେ ଆମେରିକା ଇରାନକୁ ଆର୍ଥିକ କ୍ଷେତ୍ରରେ ମଧ୍ୟ ଏକ ବଡ଼ ଝଟକା ଦେଇଛି। ଆମେରିକାର ଟ୍ରେଜେରୀ ବିଭାଗ ଇରାନକୁ ବିଶ୍ୱ ସ୍ତରରେ ତେଲ ବିକ୍ରି କରିବା ପାଇଁ ଦିଆଯାଇଥିବା ସ୍ପେଶାଲ ଲାଇସେନ୍ସ (Sanctions Waiver) କୁ ତୁରନ୍ତ ପ୍ରଭାବରୁ ରଦ୍ଦ କରିଦେଇଛି। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଜୁନ୍ ମାସରେ ଦୁଇ ଦେଶ ମଧ୍ୟରେ ଏକ ମଧ୍ୟବର୍ତ୍ତୀକାଳୀନ ଚୁକ୍ତି ହୋଇଥିଲା। ଏହା ଅଧୀନରେ ଆମେରିକା ଇରାନକୁ ୨୧ ଅଗଷ୍ଟ ୨୦୨ ପର୍ଯ୍ୟନ୍ତ (୬୦ ଦିନ ପାଇଁ) ଆଇନଗତ ଭାବେ ନିଜର କଚ୍ଚା ତେଲ ବିକ୍ରି କରିବାକୁ ମହଲତ ଦେଇଥିଲା। ଏବେ ଏହି ରିହାତି ସମ୍ପୂର୍ଣ୍ଣ ଭାବେ ଶେଷ ହେବା ଯୋଗୁଁ ବଜାରରେ ତେଲ ଯୋଗାଣକୁ ନେଇ ଏକ ବଡ଼ ସଙ୍କଟ ଦେଖାଦେଇଛି।