ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସିରିଆ ଗସ୍ତ ସମୟରେ ରାଜଧାନୀ ଡାମାସ୍କସରେ ସିରିଜ ବିସ୍ଫୋରଣ ଘଟିଛି । ରାଷ୍ଟ୍ରପତି ମାକ୍ରନ ସିରିଆ ରାଷ୍ଟ୍ରପତି ଅହମଦ ଅଲ-ଶାରାଙ୍କୁ ଭେଟିବା ପାଇଁ ରାଷ୍ଟ୍ରପତି ଭବନରେ ପହଞ୍ଚିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ଆଉ ଏକ ବିସ୍ଫୋରଣ ମାକ୍ରୋନ ରହୁଥିବା ଫୋର ସିଜନ୍ସ ହୋଟେଲ ନିକଟରେ ହୋଇଛି । ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ଚିନ୍ତା ବଢ଼ିଛି ।
ସିରିଆର ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ରାଜଧାନୀର ମଧ୍ୟଭାଗରେ ଦୁଇଟି ଜୋରଦାର ବିସ୍ଫୋରଣ ଶୁଣାଯାଇଥିଲା । ଘଟଣାସ୍ଥଳରୁ କଳା ଧୂଆଁ ଉପରକୁ ଉଠିଥିଲା । ସେଠାରେ ଥିବା କିଛି ଗାଡ଼ିରେ ନିଆଁ ଲାଗିଯାଇଥିବାବେଳେ ରାସ୍ତାରେ ରକ୍ତ ଦାଗ ଦେଖିବାକୁ ମିଳିଛି । ତେବେ ବିସ୍ଫୋରଣରେ ମୃତାହତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ସରକାରୀ ଭାବରେ ସ୍ପଷ୍ଟ କରାଯାଇ ନାବିଁ । ଆକ୍ରମଣ ପାଇଁ କୌଣସି ସଂଗଠନ ମଧ୍ୟ ନିଜକୁ ଦାୟୀ କରିନାହିଁ ।
ମାକ୍ରୋନ୍ ରହୁଥିବା ହୋଟେଲ ନିକଟରେ ଅନେକ ବିସ୍ଫୋରକ ଡିଭାଇସ୍ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ, ନିକଟବର୍ତ୍ତୀ ରାସ୍ତାଗୁଡ଼ିକୁ ସିଲ୍ କରିଦିଆଯାଇଥିଲା ଏବଂ ସୁରକ୍ଷା କଡ଼ାକଡ଼ି କରାଯାଇଥିଲା। ଫ୍ରାନ୍ସ ରାଷ୍ଟ୍ରପତି କାର୍ଯ୍ୟାଳୟ, ଏଲିସିର ଏକ ବିବୃତ୍ତି ଅନୁଯାୟୀ, ମାକ୍ରୋନ୍ ସେହି ସକାଳେ ରାଷ୍ଟ୍ରପତି ଭବନରେ ଏକ ବୈଠକ ପାଇଁ ହୋଟେଲ ଛାଡ଼ିଥିଲେ । ଏହାର କିଛି ସମୟ ପରେ ଏହି ଘଟଣା ଘଟିଥିଲା। ଏହି ଘଟଣାକୁ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ପାଇଁ ଏକ ବଡ଼ ସୁରକ୍ଷା ତ୍ରୁଟି ଭାବରେ ବିବେଚନା କରାଯାଉଛି।
ଉଲ୍ଲେଖନୀୟ ଯେ, କିଛି ଦିନ ପୂର୍ବରୁ ଡାମାସ୍କସ୍ର ଜଷ୍ଟିସ୍ ପ୍ୟାଲେସ୍ ନିକଟରେ ଏକ କାଫେରେ ବିସ୍ଫୋରଣ ଘଟି 10 ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ 20 ଜଣ ଆହତ ହୋଇଥିଲେ।