ମୁଜାଫରାବାଦ: ପାକିସ୍ତାନ ଅଧିକୃତ କାଶ୍ମୀର (PoK) ରେ ସ୍ଥିତି ସଂଗୀନ ହେବାରେ ଲାଗିଛି। ପାକିସ୍ତାନ ସରକାରଙ୍କ ଶୋଷଣ ଏବଂ ଅତ୍ୟାଚାର ବିରୋଧରେ ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୫ ତାରିଖରେ PoK ରେ ଏକ ବଡ଼ ଧରଣର ଗଣଆନ୍ଦୋଳନ ହେବାକୁ ଯାଉଛି। ଜମ୍ମୁ-କାଶ୍ମୀର ଜଏଣ୍ଟ ଆୱାମୀ ଆକ୍ସନ କମିଟି (JAAC) ର ଆହ୍ୱାନ କ୍ରମେ ପାକିସ୍ତାନ ପ୍ରଶାସନ ବିରୋଧରେ ଲକ୍ଷ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇ ବିଶାଳ ପ୍ରଦର୍ଶନ କରିବେ ବୋଲି ଜଣାପଡ଼ିଛି।
ଜୁଲାଇ ୫ରେ PoK ବନ୍ଦ ଡାକରା
ମିଳିଥିବା ସୂଚନା ମୁତାବକ, ଏହି ମେଗା ପ୍ରଦର୍ଶନକୁ ସଫଳ କରିବା ପାଇଁ JAAC ର ସଦସ୍ୟ ଉମର ନଜୀର କାଶ୍ମୀରୀ ଜନସାଧାରଣଙ୍କୁ ଏକାଠି ହେବାକୁ ନିବେଦନ କରିଛନ୍ତି। ଜୁଲାଇ ୫ ତାରିଖରେ ସାରା ପିଓକେରେ ସମ୍ପୂର୍ଣ୍ଣ ଚକା ବନ୍ଦ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ମୁଜାଫରାବାଦ୍ ସମେତ ବିଭିନ୍ନ ପ୍ରମୁଖ ସହରରେ ପାକିସ୍ତାନ ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ବିଶାଳ ଶୋଭାଯାତ୍ରା ବାହାରିବ।
କାହିଁକି ଆନ୍ଦୋଳନ କରୁଛନ୍ତି PoK ବାସିନ୍ଦା ?
ଦୀର୍ଘ ଦିନ ଧରି ପାକିସ୍ତାନ ସରକାର PoKର ଜନସାଧାରଣଙ୍କୁ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ରଖିଥିବା ଅଭିଯୋଗ ହୋଇଛି। ବିଶେଷ କରି PoK ରେ ନିଜସ୍ୱ ଜଳବିଦ୍ୟୁତ ପ୍ରକଳ୍ପ ଥାଇ ମଧ୍ୟ ସେଠାକାର ଲୋକଙ୍କୁ ମହଙ୍ଗା ଦରରେ ବିଜୁଳି ଯୋଗାଇ ଦିଆଯାଉଛି। ପାକିସ୍ତାନରେ ଚାଲିଥିବା ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ପିଓକେରେ ଖାଦ୍ୟ ସାମଗ୍ରୀର ଦାମ୍ ଆକାଶଛୁଆଁ ହୋଇଛି, ଯାହାକୁ ନେଇ ଜନସାଧାରଣ ଅତିଷ୍ଠ ହୋଇପଡ଼ିଛନ୍ତି। ସ୍ଥାନୀୟ ନେତା ଓ ଜନତାଙ୍କ ସ୍ୱରକୁ ଦବାଇବା ପାଇଁ ପାକିସ୍ତାନୀ ସେନା ଓ ପୋଲିସ ବଳପ୍ରୟୋଗ କରୁଥିବା ଅଭିଯୋଗ ହେଉଛି।
ପ୍ରଶାସନର ଚିନ୍ତା ବଢ଼ାଇଲା ମହାସମାବେଶ
ଏହି ପ୍ରଦର୍ଶନରେ କେବଳ ସାଧାରଣ ଜନତା ନୁହନ୍ତି, ବରଂ ବ୍ୟବସାୟୀ, ଓକିଲ ଏବଂ ଛାତ୍ର ସଂଗଠନ ମଧ୍ୟ ବହୁ ସଂଖ୍ୟାରେ ସାମିଲ ହେଉଛନ୍ତି। ଏହା ପୂର୍ବରୁ ମଧ୍ୟ ମେ' ମାସରେ ହୋଇଥିବା ଆନ୍ଦୋଳନ ସମୟରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା, ଯେଉଁଥିରେ କିଛି ଲୋକଙ୍କ ଜୀବନ ଯାଇଥିଲା। ଆସନ୍ତାକାଲିର ଏହି ମେଗା ପ୍ରଦର୍ଶନକୁ ଦୃଷ୍ଟିରେ ରଖି ପାକିସ୍ତାନୀ ପ୍ରଶାସନ ଭୟଭୀତ ଥିବା ବେଳେ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତେବେ ଜନତାଙ୍କ ଏହି ଆକ୍ରୋଶ ପାକିସ୍ତାନ ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।