ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଥାଇଲ୍ୟାଣ୍ଡରେ ଜଣେ ୧୧ ବର୍ଷୀୟ ନାବାଳକ ୮ ଜଣଙ୍କ ପ୍ରାଣ ନେଇଛି । ଥାଇଲାଣ୍ଡରେ ଜଣେ ନାବାଳକ ଏକ ପିକଅପ୍ ଟ୍ରକ୍ ବୌଦ୍ଧ ଭିକ୍ଷୁଙ୍କ ଉପରେ ଚଢ଼ାଇ ଦେଇଛି । ଫଳରେ ୮ ଜଣ ବୌଦ୍ଧ ସନ୍ନ୍ୟାସୀଙ୍କର ମୃତ୍ୟୁ ହୋଇଛି ।
ସମ୍ବାଦ ସରବରାହ ସଂସ୍ଥା ଏପି ଅନୁଯାୟୀ, ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକରୁ ପ୍ରାୟ ୬୦୦ କିଲୋମିଟର ଉତ୍ତର-ପୂର୍ବରେ ଅବସ୍ଥିତ ମୁକଦାହାନ୍ ପ୍ରଦେଶରେ ୩୫ ଜଣ ବୌଦ୍ଧ ସନ୍ନ୍ୟାସୀ ତୀର୍ଥଯାତ୍ରାରେ ଥିଲେ । ରାସ୍ତା କଡ଼ରେ ଚାଲି ଚାଲି ଯାଉଥିବାବେଳେ ଏହି ସମୟରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ସେମାନଙ୍କ ଉପରେ ମାଡ଼ିଯାଇଥିଲା । ଘଟଣାସ୍ଥଳରେ ୫ ଜଣ ବୌଦ୍ଧ ସନ୍ନ୍ୟାସୀଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ସ୍ପଷ୍ଟ କରିଛନ୍ତି ମୁକଦାହାନ୍ ଗଭର୍ଣ୍ଣର୍ ୱୋରାୟାନ୍ ବନ୍ନାରଟ୍ । ଏହା ସହିତ, ଅନ୍ୟ ୧୪ ଜଣ ଗୁରୁତର ଆହତ ସନ୍ନ୍ୟାସୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଁଚିଛି ଦୁର୍ଘଟଣାର ଯାଞ୍ଚ ଆରମ୍ଭ କରିବା ସହିତ ଦୁର୍ଘଟଣା ଘଟାଇଥିବା ନାବାଳକକୁ ନିଜ ହେପାଜତକୁ ନେଇଛି ।