ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ କଲେଜ ପରିସରକୁ ନିଶାମୁକ୍ତ ଜୋନ୍ କରିବା ପାଇଁ କଡ଼ା ପଦକ୍ଷେପ ନେଇଛି ଉଚ୍ଚଶିକ୍ଷା ବିଭାଗ। ଏଣିକି କୌଣସି କଲେଜର ୫୦୦ ମିଟର ପରିସର ମଧ୍ୟରେ ମଦ, ତମାଖୁ, ମାଦକ ଦ୍ରବ୍ୟ କିମ୍ବା ଅନ୍ୟ କୌଣସି ନିଶାଦ୍ରବ୍ୟ ବିକ୍ରି ହେଉଥିଲେ ତାହାର ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ସରକାରଙ୍କୁ ଜଣାଇବାକୁ ପଡ଼ିବ।
ନ୍ୟାସନାଲ ନାରକୋଟିକ୍ସ କୋଅର୍ଡିନେସନ (NCORD)ର ନିର୍ଦ୍ଦେଶାବଳୀ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ପାଇଁ ସୁରକ୍ଷିତ, ସୁସ୍ଥ ଓ ନିଶାମୁକ୍ତ ଶିକ୍ଷା ପରିବେଶ ସୃଷ୍ଟି ଲକ୍ଷ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି।
ଉଚ୍ଚଶିକ୍ଷା ବିଭାଗ ସମସ୍ତ କଲେଜର ଅଧ୍ୟକ୍ଷଙ୍କୁ କଲେଜ ପରିସରର ୫୦୦ ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଭୌତିକ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛି। ଯାଞ୍ଚ ସମୟରେ ମଦ ଦୋକାନ, ତମାଖୁ ବିକ୍ରୟ କେନ୍ଦ୍ର, ଅବୈଧ ମାଦକ ଦ୍ରବ୍ୟ କାରବାର କିମ୍ବା ସାଇକୋଟ୍ରୋପିକ୍ ପଦାର୍ଥର ବିକ୍ରୟ ଓ ବ୍ୟବହାର ଚିହ୍ନଟ ହେଉଛି କି ନାହିଁ, ସେନେଇ ସବିଶେଷ ତଥ୍ୟ ସଂଗ୍ରହ କରିବାକୁ କୁହାଯାଇଛି।
ଯଦି କୌଣସି ନିଶାଦ୍ରବ୍ୟ ବିକ୍ରୟ କେନ୍ଦ୍ର କିମ୍ବା ଅବୈଧ କାରବାର ଚିହ୍ନଟ ହୁଏ, ତେବେ ସମ୍ପୃକ୍ତ ଦୋକାନ କିମ୍ବା ସ୍ଥାନର ନାମ, ଅବସ୍ଥିତି ଓ ଅନ୍ୟାନ୍ୟ ତଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଧାରିତ ଫର୍ମାଟରେ ଉଲ୍ଲେଖ କରିବାକୁ ପଡ଼ିବ।
ସମସ୍ତ କଲେଜକୁ ଏହି ରିପୋର୍ଟ ହାୟର ଏଜୁକେସନ୍ ଇନଷ୍ଟିଚ୍ୟୁସନ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (HIMS) ପୋର୍ଟାଲରେ ଆସନ୍ତା ଜୁଲାଇ ୧୫ ସୁଦ୍ଧା ଅପଲୋଡ୍ କରିବାକୁ କୁହାଯାଇଛି। ଏହାର ତଦାରଖ ଦାୟିତ୍ୱ ଆଞ୍ଚଳିକ ଉଚ୍ଚଶିକ୍ଷା ନିର୍ଦ୍ଦେଶକମାନଙ୍କୁ ଦିଆଯାଇଛି।
ଉଚ୍ଚଶିକ୍ଷା ବିଭାଗ କହିଛି, ଛାତ୍ରଛାତ୍ରୀଙ୍କୁ ନିଶା ସଂସ୍ପର୍ଶରୁ ଦୂରେ ରଖିବା, କ୍ୟାମ୍ପସରେ ସୁସ୍ଥ ଶିକ୍ଷା ପରିବେଶ ସୃଷ୍ଟି କରିବା ଓ ନିଶା କାରବାରକୁ ରୋକିବା ପାଇଁ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ହେବ। ନିର୍ଦ୍ଦେଶାବଳୀର କଡ଼ାକଡ଼ି ପାଳନ କରିବାକୁ ସମସ୍ତ କଲେଜକୁ ବିଭାଗ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି।