ନବରଙ୍ଗପୁର: ପ୍ରତି ଶିଶୁଙ୍କ ପାଖରେ ପୋଲିଓର ଦୁଇ ବୁନ୍ଦା ପହଞ୍ଚାଇବାକୁ ସରକାରଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ଦୁଇ ଅଙ୍ଗନୱାଡ଼ି କର୍ମୀ । ସରକାରଙ୍କ ଲକ୍ଷ୍ୟ ପୂରଣ ପାଇଁ ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦାୟିତ୍ୱ ପାଳନ କରିଛନ୍ତି ଦୁଇ ମହିଳା କର୍ମଚାରୀ । ଅକାତ ତକାତ ପାଣିରେ ନିଜେ ଆହୁଲା ମାରି ଶିଶୁଙ୍କ ପାଖରେ ପହଁଚି ଦେଇଛନ୍ତି ପୋଲିଓ ବୁନ୍ଦା । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ମଞ୍ଚାଗାଁ ପଞ୍ଚାୟତର କେନ୍ଦୁଗୁଡ଼ା ଅଙ୍ଗନବାଡ଼ି କର୍ମଚାରୀଙ୍କୁ ଏହି କାମ ପାଇଁ ପ୍ରଶଂସାର ସୁଅ ଛୁଟିଛି ।
ଇନ୍ଦ୍ରାବତୀ ଜଳଭଣ୍ଡାରର ବିଚ୍ଛିନ୍ନ "ନୂଆଢ଼େପଗୁଡା " ଗାଁକୁ ଦେଶୀ ଡଙ୍ଗାରେ ବିପଦସଙ୍କୁଳ ଯାତ୍ରା କରି ୫ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ପିଆଇଛନ୍ତି ଆଶା ଓ ଅଙ୍ଗନବାଡ଼ି କର୍ମୀ । ଯାହାର ଭିଡ଼ିଓ ଭାଇରଲ ହେଲା ପରେ ଚର୍ଚ୍ଚା କୁ ଆସିଛନ୍ତି ଦୁଇ କର୍ମଚାରୀ । ଏହା ହେଉଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଇନ୍ଦ୍ରାବତୀ ଜଳଭଣ୍ଡାର ରେ ଦେଶୀ ଡ଼ଙ୍ଗା ସାହାଯ୍ୟରେ ବିଚ୍ଛିନ୍ନ "ନୂଆ ଢ଼େପଗୁଡା " ଗାଁକୁ ଯାଉଥିବା ଦୃଶ୍ୟ ।
ମଞ୍ଚାଗାଁ ପଞ୍ଚାୟତର କେନ୍ଦୁଗୁଡ଼ା ଅଙ୍ଗନବାଡ଼ି କେନ୍ଦ୍ର ଅଧୀନରେ ଇନ୍ଦ୍ରାବତୀ ଜଳଭଣ୍ଡାରର ବିଚ୍ଛିନ୍ନ "ନୂଆଢ଼େପଗୁଡା " ଗାଁ ଆସୁଛି । ସେହି ଗ୍ରାମର ୫ ଜଣ ଶିଶୁଙ୍କୁ ଜୀବନରକ୍ଷାକାରୀ ପୋଲିଓ ବୁନ୍ଦା ପିଆଇବାକୁ କେନ୍ଦୁଗୁଡ଼ାର ଆଶା କର୍ମୀ ଦ୍ରୌପଦୀ ଜାନୀ ଓ ଅଙ୍ଗନବାଡ଼ି କର୍ମୀ ତିଳ ସାନ୍ତା ବିପଦପୂର୍ଣ୍ଣ ଜଳପଥରେ ଡଙ୍ଗା ଯୋଗେ ପହଞ୍ଚିଥିଲେ । ମାତ୍ର ଗାଁକୁ ସଡ଼କ ପଥ କିମ୍ବା ପୋଲ ନାହିଁ ନଦୀରେ ଦେଶୀ ଡଙ୍ଗା ହିଁ ସାହା ଭରସା । ତେବେ ନାଉରୀଆଙ୍କୁ ସହଯୋଗ କରିବାକୁ ଆଶା କର୍ମୀ ଦ୍ରୌପଦୀ ଜାନୀ ନିଜେ ଆହୁଲା ମାରି ନାଉରିଆଙ୍କୁ ସାହାଯ୍ୟ କରିଥିଲେ । ଏହା ପରେ ସଫଳତାର ସହ ୫ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ପିଆଇଥିଲେ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏହି ଦୁଃସାହସିକ କାର୍ଯ୍ୟ ଓ କର୍ତ୍ତବ୍ୟନିଷ୍ଠା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମଧ୍ୟ ଉଭୟଙ୍କୁ ପ୍ରଶଂସା କରିଛନ୍ତି ।